ଏସାର ପେଟ୍ରୋଲ ପମ୍ପ ଯାଞ୍ଚ କଲେ ଅଧିକାରୀ

ସାନଖେମୁଣ୍ଡି : ପେଟ୍ରୋଲ ମାପ କମ ଥିବା ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହା ପରେ ହିଞ୍ଜିଳିକାଟୁ ନୂଆ ସାରୁରେ ଥିବା ଏସାର ପେଟ୍ରୋଲ ପମ୍ପର ତୈଳ ମାପକୁ ତଦନ୍ତ କରିଛନ୍ତି ବୈଧ ମାପବିଜ୍ଞାନ ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀ। ହେଲେ ତେଲ ମାପ ସବୁ ଠିକ୍ ଥିବା ଅଧିକାରୀ କହିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତ ମଙ୍ଗଳବାର ପୂର୍ବାହ୍ନରେ ତୈଳ ମାପ କମ ଥିବା ନେଇ ସାରୁ ଗ୍ରାମର ଦୁଇ ଜଣ ଯୁବକ ରୁନା ସ୍ବାଇଁ ଓ କୁନା ସ୍ବାଇଁ ଉକ୍ତ ପମ୍ପର କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। କିନ୍ତୁ ବୁଝାସୁଝା କରିବା ପରେ ମଧ୍ୟ ଉକ୍ତ ଦୁଇ ଯୁବକଙ୍କ ସହ ସାରୁ ଗ୍ରାମର କାଳିଆ ସ୍ୱାଇଁ, ମାଗତି ଦାସ, ବୁଲୁ ରାଉଳ ଓ ଅନ୍ୟ ୧୫ ଜଣ ଯୁବକ ସଂଘବଧ ଭାବେ ଆକ୍ରମଣ, ଭଙ୍ଗାରୁଜା କରିବା ସହ ଏକ ସୁନା ଚେନ ଓ ନଗଦ ୪ ହଜାର ଟଙ୍କା ଛଡାଇ ନେଇଯାଇଥିବା ପମ୍ପ ମାଲିକଙ୍କ ପୁଅ ସୁମିତ ପାଣିଗ୍ରାହୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ରୁନା ସ୍ବାଇଁ ମଧ୍ୟ ସୁମିତଙ୍କ ନାମରେ ପାଲଟା ଆକ୍ରମଣ ଓ ମାରପିଟ କରିଥିବା ଥାନାରେ ଅଭିଯୋଗ କରିଥିଲେ। ହିଞ୍ଜିଳି ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପଟେ ତୈଳ ଅନିୟମିତତା ଅଭିଯୋଗ ପରେ ବୈଧ ମାପବିଜ୍ଞାନ ବିଭାଗର ଦୁଇ ଜଣ ବରିଷ୍ଠ ନିରୀକ୍ଷକ ସବିତା ପଣ୍ଡା ଓ ସତ୍ୟଜିତ ବିଶ୍ୱାଳ ଶୁକ୍ରବାର ଅପରାହ୍ନରେ ଏସାର କମ୍ପାନୀର ଆଞ୍ଚଳିକ ପ୍ରବନ୍ଧକ ଶକ୍ତିରାଜ ମହାପାତ୍ରଙ୍କ ଉପସ୍ଥିତିରେ ଉକ୍ତ ପେଟ୍ରୋଲ ପମ୍ପରେ ପହଞ୍ଚି ୪ଟି ନୋଜଲ, ୪ଟି ଡିସପ୍ଲେ ସହିତ ମୋଟ ୩୨ ଲିଟର ପେଟ୍ରୋଲ ଓ ୨୩ ଲିଟର ଡିଜେଲକୁ ଯାଞ୍ଚ କରିଥିଲେ।  ଉକ୍ତ ଦୁଇ ଅଧିକାରୀ ସମସ୍ତ ସିଲ ନମ୍ବରକୁ ପରୀକ୍ଷା କରିବା ସହ ତୈଳ ନିର୍ଗମନ ମାପ ଠିକ ଥିବା ନେଇ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଅନ୍ୟ ପକ୍ଷରେ ଏହି ଭାଇରଲ ଭିଡ଼ିଓ ଉଦ୍ଦେଶ୍ୟ ପ୍ରଣୋଦିତ ଓ ପମ୍ପକୁ ବଦନାମ କରିବା ପାଇଁ କିଛି ଖଳ ପ୍ରକୃତିର ଲୋକଙ୍କ ଚକ୍ରାନ୍ତ ଥିଲା ବୋଲି ଏସାର ଫିଲିଙ୍ଗ ଷ୍ଟେସନ ମାଲିକ ସନ୍ତୋଷ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି।

Leave a Reply

Your email address will not be published. Required fields are marked *