ବେଆଇନ ଭାବେ କଲେଜ ପରିସରରେ ସାପ ଧରିବାର କୌଶଳ ଶିଖାଉଛନ୍ତି ଖୋଦ୍ ପ୍ରିନ୍ସିପାଲ

ଆନନ୍ଦପୁର : ବେଆଇନ ଭାବେ କଲେଜରେ ପ୍ରଦର୍ଶନ ହେଉଛି ସାପ ଧରିବା କୌଶଳ । ଶହ ଶହ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ କଲେଜ ପରିସରରେ ସାପ ଧରିବାର କୌଶଳ ଦେଖାଉଛନ୍ତି । ଏହି ସମୟରେ ଜଣେ ଛାତ୍ରୀଙ୍କ ଉପରକୁ ଫଣା ବଢାଉଛି ସାପ । କାମୁଡିବାକୁ ଉଦ୍ୟମ ମଧ୍ୟ କରୁଛି । ତେବେ ଏହି ସାପଟି ନାଗ ବୋଲି ଜଣାପଡିଛି । ଏଭଳି ଘଟଣା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି ।

ସାପ ଧରିବାର କୌଶଳ ଶିଖାଉଥିବା ବ୍ୟକ୍ତି ଜଣଙ୍କ କୌଣସି କୂଶଳୀ ପ୍ରଶିକ୍ଷକ ନୁହନ୍ତି ବରଂ  ସ୍ଥାନୀୟ ଇଂରାଜୀ ମାଧ୍ୟମ ସ୍କୁଲର ପ୍ରିନ୍ସିପାଲ ଆକାଶ ରଥ । ଏ ମହାଶୟ ଜଣଙ୍କ ପେଡିରେ ନାଗ ସାପ ଧରି କଲେଜ ଆସିଛନ୍ତି  । ଆନନ୍ଦପୁର ଉପଖଣ୍ଡ କୂଶଳେଶ୍ବର ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଶିଖାଉଛନ୍ତି ସାପ ଧରିବାର କୌଶଳ । ସୋସିଆଲ ମିଡିଆରେ ଏବେ ଏହି ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି । ତେବେ କଲେଜ ଅଧ୍ୟକ୍ଷ ଏଥିପାଇଁ ଅନୁମତି ଦେଇଥିବା ପ୍ରକାଶ କରିଛନ୍ତି ।

ଆକାଶ ରଥ ଜଣେ ପ୍ରଶିକ୍ଷିତ ସାପ ଧରାଳି ବୋଲି ଯୁକ୍ତି ବାଢିବା ସହ ଆଣିଥିବା ସାପ ଶରୀରରୁ  ବିଷ ବାହାର କରି ସେ ପ୍ରଶିକ୍ଷଣ ଦେଉଥିବା କହିଛନ୍ତି । ପୂର୍ବରୁ ବିଷଧର ସାପମାନଙ୍କୁ ସେ ରଖିଥିଲେ ବୋଲି ସଫେଇରେ କହିଛନ୍ତି । ଅନ୍ୟପଟେ ସାପ ଧରି ରଖିବା, ତାର ବିଷ ବାହାର କରିବା  ଏବଂ ସର୍ବ ସମ୍ମୁଖରେ ସାପ ଖେଳ ପ୍ରର୍ଦଶନ କରିବା ଆଇନ ସଙ୍ଗତ ନୁହଁ ।  ଆକାଶ ରଥ ପ୍ରଦର୍ଶିତ କରିଥିବା ସାପକୁ କେଉଁଠାରୁ ଆଣିଥିଲେ ? ସେ ନାଗ ସାପର ବିଷ ଥିଲା କି ନାହିଁ ? ଯଦି ବିଷ ବାହାର କରାଯାଇଥିଲା କିଏ ଓ କେଉଁ ପରିସ୍ଥିତିରେ ବାହାର କଲା ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି ।  ଅନ୍ୟପଟେ ଏହି ଘଟଣା  ସମ୍ପର୍କରେ ଆନନ୍ଦପୁର ଡିଏଫଓ ଅବଗତ ଥିବା କହିଛନ୍ତି । ବନ ବିଭାଗ ତରଫରୁ  ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ନୋଟିସ କରାଯାଇଥିବା କହିଛନ୍ତି ଆନନ୍ଦପୁର ଡିଏଫଓ ଅଜିତ କୁମାର ଶତପଥୀ ।

Leave a Reply

Your email address will not be published. Required fields are marked *