ପ୍ରେସ୍ ୟୁନିଅନ୍ ରାୟଗଡା ଜିଲ୍ଳାର ପ୍ରଥମ ବାର୍ଷିକୀ ଉତ୍ସବ ପାଳନ

ରାୟଗଡା : ରାୟଗଡା ଜିଲ୍ଳାର ଏକ ପଂଜୀକୃତ ସାମ୍ବାଦିକ ସଂଗଠନ ପ୍ରେସ୍ ୟୁନିଅନ୍ ରାୟଗଡା ଜିଲ୍ଳା ପକ୍ଷରୁ ସଂଘର ପ୍ରଥମ ବାର୍ଷିକୀ ଉତ୍ସବ ସ୍ଥାନୀୟ ହୋଟେଲ କୈଳାସ ସମ୍ମିଳନୀ କକ୍ଷ ଠାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସୁବାସ ଚନ୍ଦ୍ର ସୂର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସଂଘର ଉପଦେଷ୍ଠା ଶିବ ନାରାୟଣ ଗଉଡ ଓ ସାଧାରଣ ସଂପାଦକ ବିଜୟ କୁମାର ମହାରଣା ପ୍ରମୁଖ ମଂଚାସୀନ ହୋଇଥିଲେ । ସଂଘର ପ୍ରଥମ ବାର୍ଷିକୀ ଉତ୍ସବ କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ଶ୍ରୀ ମହାରଣା ଅତିଥି ବୃନ୍ଦକୁ ସ୍ୱାଗତ କରି ଆସନ ଗ୍ରହଣ ପାଇଁ ଆମନ୍ତ୍ରଣ କରିବା ସହ ସଂଘର ବାର୍ଷିକୀ ବିବରଣୀ ପଠନ କରିଥିଲେ । ସେହିପରି ସାମ୍ବାଦିକମାନଙ୍କୁ ଆଇନ ଅନୁଯାୟୀ ସୁରକ୍ଷା ପ୍ରଦାନ କରିବା,ସାମ୍ବାଦିକମାନଙ୍କ ପାଇଁ ଏକ କଲ୍ୟାଣ ପାଣ୍ଠି ସୃଷ୍ଟି କରିବା,ଓଡିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଏବଂ ଭାଷାର ପ୍ରଚାର ପ୍ରସାର ବିସ୍ତାର ଭାବେ କରିବା,ଜିଲ୍ଳା ବିକାଶରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସୂଚାରୁ ରୂପେ ପ୍ରତିପାଦନ କରିବା ସହ ସମାଜରେ ଏକ ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଠନରେ ଜନସାଧାରଣଙ୍କୁ ସଚେତନତା କରିବାରେ ସହାୟକ ହେବା ଆବଶ୍ୟକ ଏବଂ ପ୍ରେସ୍ ୟୁନିଅନ୍ ରାୟଗଡା ଡିଷ୍ଟ୍ରିକ୍ ସଂଘରେ ବର୍ତମାନ ସୋସିଆଲ ମିଡିଆ ଫେସବୁକ୍‌ରେ ୨୩ ହଜାରରୁ ଉର୍ଦ୍ଧ ଫ୍ରେଣ୍ଡସ୍ ରହିଥିବା ସଭାପତି ଶ୍ରୀ ସୂର୍ଯ୍ୟ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ।

ସେହିପରି ସଂଘ ଉପଦେଷ୍ଠା ଶ୍ରୀ ଗଉଡ ମଧ୍ୟ ସଂଘ ଗଠନର ମୂଳ ଉଦ୍ଦେଶ୍ୟ ଓ ଆଗାମୀ କାର୍ଯ୍ୟକ୍ରମଗୁଡିକ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ସଂଘରେ କେବେ ବି କୈାଣସି ସଦସ୍ୟମାନଙ୍କ ମଧ୍ୟରେ ମନାନ୍ତର ନ ହୋଇ ସଂଘକୁ ଆହୁରି ସୁଦୃଢ କରିବା ପାଇଁ ପରାମର୍ଶ ଦେବା ସହ ସାମ୍ବାଦିକଙ୍କ ସମସ୍ତ ସମସ୍ୟାକୁ ପ୍ରଶାସନ ତଥା ସରକାରଙ୍କ ପାଖେ ଦୃଷ୍ଟି ଆର୍କଷଣ କରି ସମାଧାନ ଦିଗରେ ସୂଚନା ଓ ଲୋକ ସଂପର୍କ ବିଭାଗ ସବୁବେଳେ ସହଯୋଗ କରି ଆସୁଛି ବୋଲି କହିଥିଲେ । ଏଥିସହ ଜିଲ୍ଳାରେ କାର୍ଯ୍ୟରତ ୨୪୨ଜଣ ସାମ୍ବାଦିକଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଥିବା ନେଇ ଶ୍ରୀ ପ୍ରଧାନ କହିଥିଲେ । ପ୍ରଥମ ବାର୍ଷିକୀ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୈାକନ ଦିଆଯାଇ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ସଂଘର ପ୍ରଥମ ବାର୍ଷିକୀ ଉତ୍ସବ ପାଳନ ଅବସରରେ କେକ୍ କଟାଯାଇଥିଲା ବେଳେ ସଂଘର ସାଂଗଠନିକ ସଂପାଦକ କୋମଳ ଲୋଚନ ଅମାରାପୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଗ୍ରନ୍ଥାଗାରିକ ଡମ୍ବୁରୁଧର ପଣ୍ଡା ଯୋଗ ଦେଇଥିବା ବେଳେ ଯୁଗ୍ମ ସଂପାଦକ କାଶିନାଥ ପାଳ,କୋଷାଧ୍ୟକ୍ଷ ଜି.ଉଦୟ କୁମାର,କାର୍ଯ୍ୟକାରିଣୀ ସଭ୍ୟ ବିଜୟ କୁମାର ଦାସ,ମାଲେଶ କୈାଶଲ୍ୟା,ସଭ୍ୟ ଲୋକନାଥ ପାଳ,କୋଣ୍ଡା ସୁରେଶ,ସନ୍ତୋଷ କୁମାର ବଚା,ସନ୍ତୋଷ ପାଣି,ରାଜ କୁମାର ଲିମା, ଦେବେନ୍ଦ୍ର ନାୟକ,ପ୍ରଦୀପ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *