ଉପସଭାପତି ପଦରୁ ଲକ୍ଷ୍ମୀଧର ପଣ୍ଡା ବହିଷ୍କୃତ

ନୀଳଗିରି: ବାଲେଶ୍ୱର ଜିଲା; ନୀଳଗିରି ନିର୍ବାଚନମଣ୍ଡଳୀ ଅଧୀନ ଔପଦା ବ୍ଲକ ଯୁବବିଜେଡି ଉପସଭାପତି ଲକ୍ଷ୍ମୀଧର ପଣ୍ଡା ଓରଫ ବୁଲୁ ଏବଂ ଯୁବବିଜେଡି ସଭାପତି ବିଜୟ ପ୍ରଧାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ନୀଳଗିରି ଥାନାରେ ଏତଲା ଦାଏର ହୋଇଥିଲା। ଦୁଇଦିନ ପୂର୍ବରୁ ସନ୍ତରାଗଡ଼ିଆ ବଜାରରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ଶ୍ରୀ ପଣ୍ଡା ବିଜେଡି ଓ ପଦଧାରୀ ବ୍ୟକ୍ତିଙ୍କ ବିରୋଧରେ ଗାଳି ଗୁଲଜ କରିଥିଲେ। ଏହି ଘଟଣା ପରେ ଗୁରୁବାର ଅପରାହ୍ନରେ ଶ୍ରୀ ପଣ୍ଡା ବିଜୁ ଯୁବଜନତା ଦଳରୁ ଇସ୍ତଫା ଦେଲେ ବୋଲି ଜିଲା ଯୁବ ବିଜେଡି ସଭାପତି ତାପସ ପରିଡ଼ାଙ୍କୁ ପତ୍ର ଲେଖିଥିଲେ। ତେବେ ଯୁବ ସଭାପତି ବିଜୟ ପ୍ରଧାନ ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତ ସଭାପତି କପିଳ ସାମଲଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁ ଦଳ ଦୁର୍ବଳ ହୋଇ ଚାଲିଥିବା ଅଭିଯୋଗ କରି ସେ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଲିଖିତ ଜଣାଇଛନ୍ତି। ସେପଟେ ବିଜେଡି ଏକ ଶୃଙ୍ଖଳିତ ଦଳ, ଶ୍ରୀ ପଣ୍ଡା ଏହି ଦଳରେ ରହି ବିଶୃଙ୍ଖଳିତ କାର୍ଯ୍ୟ କରୁଥିବା ଏବଂ ସର୍ବସାଧାରଣରେ କଟୁଭାଷା କହି ଦଳବିରୋଧି କାର୍ଯ୍ୟ କରୁଥିବା ଯୋଗୁ ତାଙ୍କୁ ଦଳ ପକ୍ଷରୁ ସମସ୍ତ ପଦବିରୁ ହଟାଇ ଦିଆଯାଇଛି ବୋଲି ଯୁବ ସଭାପତି ବିଜୟ ପ୍ରଧାନ କହିଛନ୍ତି। ତେବେ ଔପଦା ବ୍ଲକ ଯୁବ ବିଜେଡିରେ ଏଭଳି ଘଟଣାକୁ ନେଇ ସମ୍ପ୍ରତି ବିଭିନ୍ନ ରାଜନୈତିକ ଦଳ ଭିତରେ ବେଶ ଚର୍ଚ୍ଚା ହୋଇଛି। ସେହିପରି ଯୁବବିଜେଡି ଉପସଭାପତି ଲକ୍ଷ୍ମୀଧର ପଣ୍ଡା ପ୍ରଥମେ ଇସ୍ତଫା ଦେଇଛନ୍ତି ନା ପ୍ରଥମେ ଦଳ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି; ତାହାକୁ ନେଇ ନୀଳଗିରିର ରାଜନୈତିକ ମଇଦାନରେ ବେଶ ଚର୍ଚ୍ଚା ଚାଲିଛି।

Leave a Reply

Your email address will not be published. Required fields are marked *