ହାତୀପଲଙ୍କ ଉତ୍ପାତ, ଭାଙ୍ଗିଲେ ୨ ଘର

ସାରନଗରୀ: ପୁଣି ଦେଖାଦେଇଛି ବଣୁଆ ହାତୀପଲଙ୍କ ଉତ୍ପାତ। ଲାଠିକଟା ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗ୍ରାମ ପଂଚାୟତ ଅଧିନସ୍ଥ କଂସର ଅଂଚଳର ମୁଣ୍ଡାଟୋଲାରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଗତ ଶୁକ୍ରବାର ୧୫ରୁ ଉର୍ଦ୍ଧ ହାତୀ କଂସର ମଧ୍ୟକୁ ପଶି ଆସିଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ହାତୀପଲଙ୍କୁ ଦେଖି କଂସର ମୁଣ୍ଡାଟୋଲାରେ ଗ୍ରାମବାସୀ ମାନେ ଏକ ପ୍ରକାର ଭୟଭୀତ ହୋଇ ପଡ଼ିଥିଲେ। ପରେ ଗ୍ରାମବାସୀ ମାନେ ଏକଜୁଟ ହୋଇ ରାତିରେ ହାତୀ ଘଉଡ଼ାଇବା ପ୍ରକିୟା ଆରମ୍ଭ କରିଥିଲେ। କିଛି ଗ୍ରାମବାସୀ ହାତୀ ଦାଉରୁ ନିଜ ଜୀବନକୁ ବଂଚାଇବା ଉଦ୍ଦେଶ୍ୟରେ ନିଜ ନିଜ ଘରୁ ପଳାୟନ କରିଥିଲେ। ହାତୀପଲ ଖାଦ୍ୟ ସନ୍ଧାନରେ ବିଭିନ୍ନ ଘରେ ପଶିବା ଦେଖିବାକୁ ମିଳିଥିଲା। ମୁଣ୍ଡାଟୋଲା ନିକଟସ୍ଥ କୁଦାରଟୋଲାର ଭୁକ୍ତା ମୁଣ୍ଡା ଓ ଅମ୍ରିତ ଟପ୍ନୋଙ୍କ ଖପରା ଘରକୁ ହାତୀପଲ ନଷ୍ଟ କରି ଦେଇଥିବା ଖବର ମିଳିଛି। ଅଟାଘାଟ ନିକଟରେ ହାତୀପଲ ଫସଲ ନଷ୍ଟ କରିଥିବା ମଧ୍ୟ ସୂଚନା ମିଳିଛି। ଅପରପକ୍ଷରେ ହାତୀ ଆକ୍ରମଣରେ କେହି ଆହତ ଅବା ମୃତ ହୋଇନଥିବା ପ୍ରକାଶ। ହାତୀ ପଲକୁ ଘଉଡ଼ାଇବା ପରେ ସେମାନେ ଜଲଦା ‘ଏ’ ବ୍ଲକ ପାହାଡ଼ ପଟେ ଚାଲି ଯାଇଥିବା କିଛି ଗ୍ରାମବାସୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ହାତୀପଲଙ୍କ ଉତ୍ପାତକୁ ନେଇ ଗ୍ରାମବାସୀ ମାନେ ବନବିଭାଗକୁ ଅବଗତ କରାଇବା ପରେ ବନବିଭାଗ କର୍ମଚାରୀ ମାନେ ହାତୀ ଘଉଡ଼ାଇବାକୁ ପ୍ରକିୟା ଆରମ୍ଭ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *