ଟିଟିଲାଗଡ଼ : ଟିଟିଲାଗଡ଼ ସରକାରୀ ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏକ ଛୋଟିଆ ସେଲୁନ କରି ଭଡାଘରେ ବାସ କରୁଥିବା ପିତାଙ୍କ ନିକଟରେ ଘରୋଇ ନର୍ସିଂ ହୋମ ନେବାକୁ ଅର୍ଥ ଥିଲେ ପ୍ରଥମ ଗର୍ଭ ଧାରଣା କରିଥିବା ତାଙ୍କ ବିବାହିତ ଅଲିଅଳ ଝିଅର ଏବଂ ୯ ମାସ ଗର୍ଭସ୍ଥ ଶିଶୁର ଜୀବନ ରକ୍ଷା ହୋଇପାରିଥାନ୍ତା ବୋଲି ଲୋକେ କହିଛନ୍ତି । ସୂଚନା ମୁତାବକ ଟିଟିଲାଗଡ଼ ସହରର ସିରାଭଟା ପଡାର ନୌକା ରାଓଙ୍କ ଝିଅ ଟ୍ୱିଙ୍କଲ ଆଜି ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ସକାଳୁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ତାଙ୍କୁ ବଲାଙ୍ଗୀର ଯାଅ ବୋଲି କୁହାଯାଇଥିଲା, କିଛି ସମୟ ପରେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ପ୍ରଦୀପ ନାୟକ ଉଚ୍ଚ ରକ୍ତଚାପ ଯୋଗୁଁ ମହିଳାଙ୍କ ମୃତ୍ୟୁ ହେଲା ବୋଲି କହିଛନ୍ତି। ତେବେ କିଛି ଦିନ ପୂର୍ବରୁ ମହିଳାଙ୍କ ପ୍ରସବ ଯନ୍ତ୍ରଣା ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ତାଙ୍କୁ ପରେ ଆସ ବୋଲି ନର୍ସ ମାନେ ଫେରାଇ ଦେଇଥିବା ଡାକ୍ତରଖାନା ଅଧିକ୍ଷକ ସ୍ୱୀକାର କରିଛନ୍ତି। ଏନେଇ ତଦନ୍ତ କରିବେ ବୋଲି କହୁଛନ୍ତି। ତେବେ ପ୍ରକୃତରେ ଟିଟିଲାଗଡ଼ ଡାକ୍ତରଖାନାରେ ଡାକ୍ତର ଅଭାବ ନେଇ ରୋଗୀଙ୍କୁ ଫେରାଇ ଦିଆଯାଉଥିବା ଅନ୍ୟତ୍ର ରେଫର କରାଯାଉଥିବା ଏକ ଚିରାଚରିତ ରୀତି ହୋଇଥିବା ଅଭିଯୋଗ ହୋଇଛି। ଆଉ କେତେ ଗରିବ ପ୍ରସୂତି ମହିଲା, ଶିଶୁଙ୍କ ମୃତ୍ୟୁ ହେଲେ ସରକାର ଚେତିବେ ବୋଲି ମୃତକଙ୍କ ଦାହ ସଂସ୍କାର ସମୟରେ ଉପସ୍ଥିତ ଥିବା ବିକେପି ନଗର ସମ୍ପାଦକ କୁନା ଭାଟି କ୍ଷୋଭର ସହ କହିଛନ୍ତି।
