ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ହରିଶଙ୍କର ଛକ ବାଲିଜୋର ନିକଟ ପତ୍ରା ଜଙ୍ଗଲ ନିକଟରେ କିଓସ୍କ ବ୍ୟାଙ୍କ ଚାଳକ ଋଷି କୁମାର ବେହେରାଙ୍କ ନିକଟରୁ ଲୁଟ୍ । ସୋମବାର ଅପରାହ୍ନରେ ୪ ଜଣ ଦୁର୍ବୃତ୍ତ ଦୁଇଟି ସିଡ଼ି ଡିଲକ୍ସ ମୋଟର ସାଇକେଲରେ ଆସି ତିନି ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହେଇଛି ।
ସୂଚନାଯୋଗ୍ୟ ଯେ, ଖପ୍ରାଖୋଲ ଥାନା ସ୍ଥାନୀୟ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଋଷି କୁମାର ବେହେରା ତାଙ୍କ କିଓସ୍କ ବ୍ୟାଙ୍କ ପରିଚାଳନା କରିବା ପାଇଁ ତିନି ଲକ୍ଷ ଟଙ୍କା ଉଠାଇ ଅପରାହ୍ନ ସମୟରେ ନିଜ ମୋଟର ସାଇକେଲରେ ନାନ୍ଦୁପଲା ସ୍ଥିତ ନିଜ ଘରକୁ ଫେରୁଥିଲେ । ପୂର୍ବରୁ ଦୁର୍ବୃତ୍ତମାନେ ଯୋଜନାବଦ୍ଧ ତାଙ୍କୁ ପିଛା କରି ତାଙ୍କ ଗାଡି ଆଗକୁ ଯାଇ ଗାଡିଟିକୁ ଅଟକାଇ ତାଙ୍କ ମୁହଁରେ ମାଡ଼ ମାରି ଆକ୍ରମଣ କରି ବ୍ୟାଗରେ ଥିବା ଟଙ୍କା ସହ ଚେକ ବହି, ଓ ବିଭିନ୍ନ ନଥିପତ୍ରକୁ ଲୁଟିନେଇ ଗୁଣ୍ଡୁରୁପାଲି ରାସ୍ତା ପଟକୁ ଚାଲି ଯାଇଥିବା ସେ ପ୍ରକାଶ କରିଛନ୍ତି ।
