କାଶିପୁର ବ୍ଳକ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

ରାୟଗଡା/( ଆଲାରାମ ଭତ୍ରା); ପୁଣି ଥରେ କଂଗ୍ରେସର ଗଡ଼ ହେବାକୁ ଯାଉଛି ରାୟଗଡା ଜିଲ୍ଳା । ଆପଣ ମାନେ ମୋତେ ଜିତାଇଛନ୍ତି । ମୁଁ ଆପଣଙ୍କ ସ୍ୱରକୁ ସଂସଦରେ ଉପସ୍ଥାପନା କରିବା ମୋର ସବୁବେଳେ ପ୍ରୟାସ ରହିଛି । ଗତ କିଛି ଦିନ ତଳେ ବିଜେଡି ଶାସକ ଦଳର ଜଣେ ନେତା କହିଛନ୍ତି ଯେ,୩୦ବର୍ଷ ପୂର୍ବରୁ ରାୟଗଡା କଂଗ୍ରେସର ଗଡ଼ ଥିଲା । ତାହା ଭୁଲ୍ ପ୍ରମାଣିତ କରି ମୋତେ କୋରାପୁଟ ଲୋକସଭା ସଂସଦୀୟ କ୍ଷେତ୍ରର ସାଂସଦ ଭାବେ ବିପୁଳ ଭୋଟ ଦେଇ ତଥା କଂଗ୍ରେସକୁ ଭଲ ପାଉଥିବା ଭୋଟର ଭାଇଭଉଣୀମାନେ ଜିତାଇ କଂଗ୍ରେସର ସମର୍ଥନକୁ ପ୍ରମାଣିତ କରିଛନ୍ତି । ତେବେ ୩୦ ବର୍ଷରେ କଣ ହୋଇଛି ସମସ୍ତେ ଜାଣିଛନ୍ତି । ଜଣେ ସାଇକେଲ ଚଳାଉଥିବା କର୍ମୀ ଆଜି ତିନିଶହ କୋଟି ଟଙ୍କାର ମାଲିକ ହୋଇଛନ୍ତି ଏବଂ କାଶିପୁର ବ୍ଳକ ଆଜି ବି ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇ ରହିଛି । କେବଳ ଦୁର୍ନୀତି ଅଧିକାରୀମାନଙ୍କ ରାଜକୁ ଏହି ଶାସକ ଦଳ ସରକାର ସମର୍ଥନ କରିଆସୁଛି । ତେବେ କାଶିପୁର ବ୍ଳକର ସର୍ବାଙ୍ଗୀନ ଉନ୍ନତି ପାଇଁ କଂଗ୍ରେସ ଦଳକୁ ଭଲ ପାଉଥିବା ଲୋକେ ଆଜି ବି ଲଢେଇ କରି ଆସୁଛନ୍ତି । ଶାସକ ଦଳ ପାଖେ ଯେତେ ବି ଅର୍ଥବଳ,ସରକାରୀ କଳ ରହିଥିଲେ ମଧ୍ୟ କଂଗ୍ରେସ ଜିତି ଆସିଛି ଏବଂ ଆସୁଥିବ । ଯେ ପର୍ଯ୍ୟନ୍ତ ସୂର୍ଯ୍ୟଚନ୍ଦ୍ର ରହିଛି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ରହିବ ବୋଲି ଆଜି ରାୟଗଡା ସହରର ସ୍ଥାନୀୟ ଲାୟନ୍ସ କ୍ଳବ ସମ୍ମିଳନୀ କକ୍ଷରେ ଜିଲ୍ଳା କଂଗ୍ରେସ କମିଟି ତରଫରୁ କାଶିପୁର ବ୍ଳକ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ଯୋଗ ଦେଇ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା ଶାସକ ଦଳ ବିଜେଡି ସରକାର ଓ ବିରୋଧୀ ବିଜେପି ଉପରେ ବର୍ଷିଛନ୍ତି । ତତ ସହିତ ରାୟଗଡା ଜିଲ୍ଳା କଂଗ୍ରେସ ଦଳର ୪ରୁ ୫ଜଣ କର୍ମୀକୁ ନେଇ ବିଜେଡିରେ ସାମିଲ କରି ୮୦ ଜଣ କର୍ମୀଙ୍କୁ ମିଶାଇଲୁ ବୋଲି ବାହା ବାହା ନେଉଥିବା ଜିଲ୍ଳା ଶାସକ ଦଳ ଆଜିର କଂଗ୍ରେସ ମିଶ୍ରଣ ପର୍ବରୁ ଜାଣିବା ଉଚିତ ଯେ ଆଗାମୀ ଦିନରେ ଆସୁଥିବା ପଂଚାୟତ ଓ ପୈାର ଏବଂ ଜିଲ୍ଳା ପରିଷଦ ନିର୍ବାଚନ ମଧ୍ୟରେ ଜିଲ୍ଳାରୁ ବିଜେଡିକୁ ସଫା କରିଦେବୁ ବୋଲି ସାଂସଦ ଶ୍ରୀ ଉଲାକା ପ୍ରକାଶ କରିଥିଲେ । ସେହିପରି କଂଗ୍ରେସ ଦଳ ଆଦିବାସୀ,ମଜଦୁର ଓ ଚାଷୀଙ୍କ ଦଳ ବୋଲି କହିଥିଲେ । ଗତ ନିର୍ବାଚନରେ ଦଳ ପକ୍ଷରୁ ନିଲମ୍ବିତ ହୋଇଥିବା କାଶିପୁର ବ୍ଳକ ଟିକିରି ଜୋନ ଜିଲ୍ଳା ପରିଷଦ ସଭ୍ୟ ସାନ୍ଧୁ ମାଝି ଏବଂ ଅଡାଝର ଜୋନର ଗଜେନ୍ଦ୍ର ନାୟକଙ୍କ ଉପରୁ ନିଲମ୍ବନ ଉଠାଇ ଦିଆଯାଇଥିବା ନେଇ ଘୋଷଣା କରିଥିଲେ । ଏହି କର୍ମୀ ସମ୍ମିଳନୀରେ କାଶିପୁର ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷା ଉଜ୍ୱଳା ଦେଇ ମାଝି ମଧ୍ୟ ଦଳକୁ ଫେରିଥିବା ବେଳେ କଂଗ୍ରେସ ଦଳକୁ ଛାଡି ସ୍ୱାଧୀନ ବିଧାୟକ ପ୍ରାର୍ଥୀଙ୍କ କେଟଲୀ ଚିହ୍ନକୁ ଏବଂ ବିଜେଡିକୁ ସମର୍ଥନ କରିଥିବା ବିଭିନ୍ନ ପଂଚାୟତର ୧୧୨ଜଣ କର୍ମୀ ଏବଂ ୪୦୦ରୁ ଉର୍ଦ୍ଧ କର୍ମୀମାନେ ମଧ୍ୟ ସାମିଲ ହୋଇଥିଲେ । ସମସ୍ତଙ୍କୁ ଦଳୀୟ ଉତରୀୟ ସହ ଟୋପି ଓ ଫୁଲମାଳ ଦେଇ କଂଗ୍ରେସ କମିଟି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଦଳ ଭିତରେ ଭୁଲ ଭଟକା ଓ ମନ ମାଳିନ୍ୟ ରହିଥିବା ବେଳେ ବର୍ତମାନ ତାହା ସବୁକିଛି ସମାପ୍ତ ହୋଇ ସମସ୍ତେ କଂଗ୍ରେସ ପରିବାରରେ ରହି ଦଳୀୟ ପ୍ରାର୍ଥୀଙ୍କୁ କିପରି ବିଜୟୀ କରିବା ତାହାର ଋଣନୀତି ପ୍ରସ୍ତୁତ କରିବା ବୋଲି ରାୟଗଡା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଆପଲାସ୍ୱାମୀ କାଡ୍ରକା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ତଥା ଏଆଇସିସି ସଭ୍ୟା ରତ୍ନମଣି ଉଲାକା,ସଂପାଦକ ସୀମାଂଚଳ ଉଲାକା,କାଶିପୁର ବ୍ଳକ ସଭାପତି ଅଙ୍ଗଦ ନାୟକ,ଉପସଭାପତି ଜଗନ୍ନାଥ ପଣ୍ଡା,ଜିଲ୍ଳା କଂଗ୍ରେସ କମିଟି ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ,ସୁନୀଲ ଚନ୍ଦ୍ର ପଣ୍ଡା,ସାଧାରଣ ସଂପାଦକ ଜି.ଭିତେଶ୍ୱର ରାଓ,ପାର୍ଥ ବର୍ଦ୍ଧନଙ୍କ ସମେତ କଂଗ୍ରେସ ଦଳର ବିଭିନ୍ନ ସେଲର ସଭାପତି ଓ କାର୍ଯ୍ୟକର୍ତାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସେହିପରି ଆସନ୍ତାକାଲି ଜିଲ୍ଳା କଂଗ୍ରେସ କମିଟିର ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ ସହ କଂଗ୍ରେସର ନୀତି ନିୟମରେ ଅନୁପ୍ରାଣିତ ହୋଇ ଜିଲ୍ଳାର ବିଭିନ୍ନ ବ୍ଳକରୁ ଅନ୍ୟ ରାଜନୈତିକ ଦଳର ୬୦୦ରୁ ଉର୍ଦ୍ଧ କର୍ମୀ ଓ କର୍ମକର୍ତାମାନେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେବେ ବୋଲି ସଭାପତି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *