ବୁର୍ଲା : ଆଜି ବୁର୍ଲା ପୁଲିସ ଦ୍ୱାରା ପୁଣି ଜଣେ ରକ୍ତ ଦଲାଲକୁ ଗିରଫ କରିଥିବା ଜଣାପଡିଛି। ବୁର୍ଲା ଭିମସାର ରକ୍ତ ଭଣ୍ଡାର ପରିସରରୁ ଏହି ଦାଲାଲକୁ ଗିରଫ କରିଛି ବୁର୍ଲା ପୁଲିସ। ତେବେ ଗିରଫ ହୋଇଥିବା ଦଲାଲ ଜଣକ ବୁର୍ଲା କିର୍ବା ଗ୍ରାମର ସରୋଜ ଭୋସାଗର (୩୬) ଏବଂ ସେ ବୁର୍ଲା ଭିମସାର ହସପିଟାଲ ଛାତି ଓ ସଂକ୍ରମଣ ରୋଗ ବିଭାଗରେ ଆଟେଣ୍ଡାଣ୍ଟ ଭାବେ କାମ କରନ୍ତି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ମିଳିଥିବା ସୂଚନା ମତେ ଛତିଶଗଡ ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ଭିମସାର ହସପିଟାଲକୁ ଆଣିଛନ୍ତି । ତେବେ ବୁର୍ଲା ହସପିଟାଲର ଛାତି ଓ ସଂକ୍ରମଣ ରୋଗ ବିଭାଗରେ ସ୍ୱାମୀଙ୍କୁ ଭର୍ତ୍ତି କରିଥିବା ବେଳେ ଗତକାଲି ଡାକ୍ତର ଏ ପଜିଟିଭ ରକ୍ତର ଆବଶ୍ୟକ ବୋଲି ପରାମର୍ଶ କରିଥିଲେ । ଏହାପରେ ମହିଳା ଜଣକ ରକ୍ତ ଯୋଗାଡ ପାଇଁ ପ୍ରୟାସ କରିଥିଲେ । ତେବେ ସେହି ବିଭାଗରେ ଆଟେଣ୍ଡାଣ୍ଟଭାବରେ କାର୍ଯ୍ୟ କରୁଥିବା ସରୋଜ ଭୋସାଗର ଏହା ଜଣିଥିଲେ । ତେବେ ରକ୍ତ ଯଦି ଦରକାର ୨୫ଶହ ଟଙ୍କା ଦେଲେ ମୁଁ ରକ୍ତ ଯୋଗାଡ କରିବି ବୋଲି ମହିଳାଙ୍କୁ କହିଥିଲେ। ତେବେ ଆଜି ଅପରାହ୍ନ ୧୨ ଟା ସମୟରେ ମହିଳା ଜନକ ରକ୍ତ ଭଣ୍ଡାରକୁ ରକ୍ତ ଆଣିବା ପାଇଁ ଯାଇଥିବା ବେଳେ ସରୋଜ ସେଠାରେ ପହଞ୍ଚି ମହିଳାଙ୍କୁ ୨୫ଶହ ଟଙ୍କା ରକ୍ତ ପାଇଁ ମାଗିଥିଲା । ତେବେ କୋଣସି ସୂତ୍ରରୁ ଏହି ଘଟଣା ସମ୍ପର୍କରେ ମୋ ସରକାର ଯୋଜନାରେ ରକ୍ତଦାନ ଶିବିର କରୁଥିବା ସମ୍ବଲପୁର ପୁଲିସର ରାମଦାଶ ପଣ୍ଡା ସୁଚନା ପାଇଥିଲେ । ଏହାପରେ ରାମଦାଶ ରକ୍ତ ଭଣ୍ଡାର ପରିସରରେ ପହଞ୍ଚି ଅଭିଯୁକ୍ତ ସରୋଜ ଭୋସାଗରକୁ ଧରି ବୁର୍ଲା ଥାନାକୁ ସୂଚନା ଦେଇଥିଲେ । ଏହାପରେ ବୁର୍ଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସରୋଜକୁ ଗିରଫ୍ କରିଥିବା ଜଣାପଡିଛି । ତେବେ ଗିରଫ ଅଭିଯୁକ୍ତ ଆଟେଣ୍ଡାଣ୍ଟ ଭାବରେ କାମ କରୁଥିବା ବେଳେ ଟଙ୍କା ଲୋଭରେ ପଡି ଦଲାଲି କରୁଥିବା ବେଳେ ଗିରଫ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ସମ୍ବଲପୁର ପୁଲିସର ଏଭଳି ତ୍ୱରିତ ପଦକ୍ଷେପ ଯୋଗୁଁ ଅନେକ ସମୟରେ ରକ୍ତ ଦଲାଲ ଗିରଫ ହେଉଥିବା ଦେଖିବାକୁ ମିଳିଛି।
