୨ ପ୍ରଦର୍ଶନକାରୀଙ୍କ ମୃତ୍ୟୁ, ୯ ପୋଲିସ କର୍ମଚାରୀ ଆହତ

ଗୌହାଟୀ : ଗୁରୁବାର ଆସାମର ଦରାଙ୍ଗ ଜିଲ୍ଲାର ଗୋରୁହୁଟିରେ ସ୍ଥାନୀୟ ଲୋକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ ଦୁଇ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୯ ପୋଲିସ କର୍ମଚାରୀଙ୍କ ସମେତ ଅନ୍ୟ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି । ପ୍ରଦର୍ଶନକାରୀ ଏବଂ ପୋଲିସ ମଧ୍ୟରେ ଏହି ସଂଘର୍ଷ ଗୁରୁବାର ଢ଼ୋଲପୁର ଅନ୍ତର୍ଗତ ଗୋରୁଖୁଟିରେ ହୋଇଛି । ରାଜ୍ୟ ସରକାରଙ୍କ କୃଷି ପ୍ରକଳ୍ପ ସମ୍ବନ୍ଧିତ ଜମିରୁ ଜବରଦଖଲ ଉଚ୍ଛେଦ ବେଳେ ଏହି ପରିସ୍ଥିତି ଉପୁଜିଛି।

ଏନେଇ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓରେ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ପୋଲିସ ମତରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହା ପରେ ସ୍ଥାନୀୟ ଲୋକେ ପୋଲିସ ଉପରେ ପଥର ମାଡ଼ କରିଥିଲେ। ଏସପି ସୁଶାନ୍ତ ବିଶ୍ବଶର୍ମା କହିଛନ୍ତି, ଲୋକଙ୍କ ପଥର ମାଡ଼ରେ ପୋଲିସ କର୍ମୀ ଗୁରୁତର ହୋଇଛନ୍ତି।

ଯେଉଁ ଜମି ପାଇଁ ଏତେ କାଣ୍ଡ ହୋଇଛି, ସେଥିରୁ ସମ୍ପୂର୍ଣ୍ଣ ଜବରଦଖଲ ଉଚ୍ଛେଦ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଢ଼ୋଲପୁର ଅନ୍ତର୍ଗତ ଗୋରୁଖୁଟିରେ ସରକାର ଚଳାଇଥିବା ଜବଲଦଖଲ ବିରୋଧୀ ଅଭିଯାନରେ ଅତିକମ୍‌ରେ ୮୦୦ ପରିବାର ବେଘର ହୋଇଛନ୍ତି । କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ଜବରଦଖଲ ଉଚ୍ଛେଦ ଫଳରେ ୯୦୦ରୁ ଅଧିକ ପରିବାର ବାସ ହରାଇଛନ୍ତି । ଏହା ସହ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *