ଏମ୍ସରେ ଚିହ୍ନଟ ହେଲା ମୃତଦେହ

ଭୁବନେଶ୍ୱର: ଦୀର୍ଘ ୧୮ ଘଣ୍ଟାକାଳ ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ପରେ ନାଳରେ ଭାସିଯାଇଥିବା ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ମିଳିଛି। ମୃତଦେହକୁ ଏମ୍ସ ନିଆଯିବା ପରେ ସେଠାରେ ତାଙ୍କ ମାଉସୀ ମୃତଦେହକୁ ଚିହ୍ନଟ କରିଛନ୍ତି। ଏଥିସହିତ ଭୁବନେଶ୍ୱର ମହାନଗର ପରିସରରେ ମୁକୁଳା ନାଳକୁ ନେଇ ସୃଷ୍ଟି ହୋଇଛି ବ୍ୟାପକ ଜନ ଅସନ୍ତୋଷ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ଶିରିପୁରସ୍ଥିତ ଶତାବ୍ଦୀ ନଗର ବ୍ୟାଙ୍କ କଲୋନିର ୧୫ ବର୍ଷ ବୟସ୍କ ଛାତ୍ର ରବିବାର ଅପରାହ୍ଣରେ ସାଇକେଲ ଧରି ଟ୍ୟୁସନ ଯାଉଥିବା ସମୟରେ ନାଳରେ ଭାସିଯାଇଥିଲେ। କିଛି ଲୋକ ଏହା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ନାଳର ପ୍ରଖର ସ୍ରୋତ ତାଙ୍କୁ ଭସାଇ ନେଇଥିଲା। ସେ ଭାସି ଯାଇଥିବା ସ୍ଥାନରୁ କିଛି ଦୂରରେ ତାଙ୍କ ସାଇକେଲ ଓ ଚପଲ ମିଳିଥିଲା। ଏହି ଖବର ପାଇବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଜ୍ୟୋତିପ୍ରକାଶଙ୍କୁ ଖୋଜିବା କାର୍ୟ୍ୟ ଆରମ୍ଭ ହୋଇଥିଲା। ଏପରିକି ଅଗ୍ନିଶମ କର୍ମଚାରୀମାନେ ଢାଙ୍କୁଣିଥିବା ନାଳ ଭିତରେ ଦଉଡି ଧରି କିଛିବାଟ ପର୍ୟ୍ୟନ୍ତ ଯାଇ ଖୋଜିଥିଲେ। କିନ୍ତୁ ଜ୍ୟୋତିପ୍ରକାଶଙ୍କର କିଛି  ସୂଚନା ମିଳିନଥିଲା। ବିଳମ୍ବିତ ରାତିରେ ଉଦ୍ଧାର ବନ୍ଦ ରଖାଯିବା ପରେ ସୋମବାର ସକାଳୁ ପୁଣି ଖୋଜିବା କାର୍ୟ୍ୟ ଆରମ୍ଭ ହୋଇଥିଲା। ଅଗ୍ନିଶମ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ତଲାସି କରିବା ପରେ ଶେଷରେ ପଞ୍ଚସଖା ନଗର ନିକଟରେ ଖୋଜିବା ଆରମ୍ଭ କରିଥିଲେ। ଶେଷରେ ପୁର୍ବାହ୍ନ ପ୍ରାୟ ୧୦.୩୦ରେ ଏକ ମୃତଦେହ ମିଳିଥିଲା। ତାକୁ ଡାକ୍ତରଖାନା ନିଆଯାଇ ଜ୍ୟୋତିପ୍ରକାଶଙ୍କ ପରିବାରକୁ ଖବର ଦିଆଯାଇଥିଲା। ଜ୍ୟୋତିପ୍ରକାଶଙ୍କ ମାଉସୀ ଓ ଅନ୍ୟମାନେ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ମୃତଦେହର ନାକ ଓ ପାଟିରୁ ରକ୍ତ ବାହାରୁଥିବା ଲକ୍ଷ୍ୟ କରାଯାଇଥିଲା। ହାସପାତାଳରେ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି।

Leave a Reply

Your email address will not be published. Required fields are marked *