ଗାଁ ଲୋକଙ୍କୁ ବିଦ୍ୟୁତ୍ ଆଲୋକ ସ୍ବପ୍ନ ପାଲଟିଛି

ନନ୍ଦପୁର  : ଗାଁ ଲୋକଙ୍କୁ ବିଦ୍ୟୁତ୍ ଆଲୋକ ସ୍ବପ୍ନ ପାଲଟିଛି । ସନ୍ଧ୍ୟା ହେଲେ ମିଞ୍ଜି ମିଞ୍ଜି ଆଲୋକରେ ଲୋ‌େକ ଜୀବନ ବିତାଉଛନ୍ତି। ଗୋଟିଏ କି ଦୁଇଟି ନୁହେଁ ୧୧ ଗାଁ ଅନ୍ଧାରରେ ରହିଛି। କାହାରି ଘରେ ବିଦ୍ୟୁତ୍‌ ସଂଯୋଗ ହୋଇନି। ଡିବିରି ଆଲୁଅରେ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏପରି ବିକଳ ଚିତ୍ର କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଦେଖିବାକୁ ମିଳିଛି।
ପ୍ରତ୍ୟେ‌କ ଗାଁକୁ ବିଦ୍ୟୁତ୍‌କରଣ, ଘର ଘରକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ଘୋଷଣା ହୋଇଥିଲା। କୋରାପୁଟ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ପ୍ରବୀର୍ କୁମାର ନାୟକ ଏକ ପତ୍ର ଦ୍ବାରା ନନ୍ଦପୁର ବ୍ଲକରେ କେତେ ଗ୍ରାମ ବିନା ବିଦ୍ୟୁତ୍ ସଂଯୋଗରେ ରହିଛି, ତାହାର ତାଲିକା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ। ନନ୍ଦପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତ ଲୋକ ପ୍ରତିନିଧି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନନ୍ଦପୁର ବ୍ଲକ ଅଞ୍ଚଳର ୨୩ ପଞ୍ଚାୟତର ୧୧ ଗଁା ଏବେ ବି ବିନା ବିଦ୍ୟୁତ୍ ସଂଯୋଗରେ ରହିଛି। ସେଗୁଡିକ ହେଲା ଗୋଲୁର ପଞ୍ଚାୟତ ରାଇପାହାଡ, ହାତୀବାରି ପଞ୍ଚାୟତର ପୋଇଲାଡ଼ିପୁଟ ଓ ଦୋରାଗୁଡ଼ା, ଚାଟୁଆ ପଞ୍ଚାୟତର ମାଳିଛକ, ବାଲିଆଗୁଡ଼ା, ବିଲାପୁଟ ପଞ୍ଚାୟତର ଲାମାଡୁର, ସାବୁନ ଓ ବରଗୁଡ଼ା, ନନ୍ଦକା ପଞ୍ଚାୟତର କରଞ୍ଜଗୁଡା, ପାନ୍ଥଲୁଙ୍ଗ ପଞ୍ଚାୟତର ମୁକ୍ତିଆମ୍ୱ ଓ ପୁରୁଣାପାଣି ଗାଁ। ଗ୍ରାମଗୁଡ଼ିକ ଛୋଟ ଜନବସତି ରହିଛି। ଅନ୍ୟ ଗାଁକୁ ବିଦ୍ୟୁତ୍ ସଂଯୋଗ କରିବାକୁ କୋରାପୁଟ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକଙ୍କୁ ଅବଗତ କରାଯାଇଥିବା ନନ୍ଦପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଜନୀକାନ୍ତ ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *