ଲଡୁ ୧୮.୯୦ ଲକ୍ଷ ଟଙ୍କାରେ ନିଲାମ

ହାଇଦରାବାଦ: ହାଇଦରାବାଦର ସବୁଠାରୁ ଚଚ୍ଚିର୍ତ ଗଣେଶ ପୂଜା ମଣ୍ଡପ ବାଲାପୁର ଗଣେଶଙ୍କ ନିକଟରେ ଭୋଗ ଲଗାଯାଇଥିବା ଲଡୁ ୧୮.୯୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ଏହି ଲଡୁର ଓଜନ ୨୧ କିଲୋଗ୍ରାମ। ଶନିବାର ହୋଇଥିବା ନିଲାମରେ ଆବାକସ ଓଭରସିଜ୍‍ ଏଜୁକେସନ ପ୍ରାଇଭେଟ ଲିମିଟେଡର ସିଓଓ ମାରି ଶଶାଙ୍କ ରେଡି ଏବଂ କଡପାରୁ ୱାଇଏସଆର କଂଗ୍ରେସ ଏମଏଲସି ଆର ଭି ରମେଶ ଯାଦବ ଉକ୍ତ ଲଡୁକୁ ନିଲାମରେ ନେଇଥିଲେ। ଲଡୁର ପ୍ରାଥମିକ ମୂଲ୍ୟ ଡକା ୧୧୧୬ ଟଙ୍କାରୁ ଆରମ୍ଭ ହୋଇ ଶେଷରେ ୧୮.୯୦ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା। ରମେଶ ଯାଦବ ଏହାକୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡିଙ୍କ ପାଇଁ ଏକ ଉପହାର ବୋଲି କହିଛନ୍ତି। ନିଲାମ ସମୟରେ ତେଲେଙ୍ଗାନାର ଶିକ୍ଷାମନ୍ତ୍ରୀ ପି ସବିତା ଇନ୍ଦ୍ର ରେଡି ଏବଂ ପୂର୍ବତନ ବିଧାୟକ ଟି କ୍ରିଷ୍ଣ ରେଡିଙ୍କ ସମେତ ଏକାଧିକ ରାଜନେତା ଉପସ୍ଥିତ ଥିଲେ। କୋଭିଡ-୧୯ କାରଣରୁ ୨୦୨୦ରେ କଟକଣା କାରଣରୁ ବାଲାପୁର ଗଣେଶ ଉତ୍ସବ କମିଟି ପକ୍ଷରୁ ଲଡୁ ନିଲାମ କରାଯାଇନଥିଲା। ଏହା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଉପହାର ଆକାରରେ ଦିଆଯାଇଥିଲା। ତାହା ପୂର୍ବରୁ ୨୦୧୯ରେ ବାଲାପୁରର ଜଣେ ବାସିନ୍ଦା କୋଲାନ ରାମ ରେଡି ଲଡୁକୁ ୧୭.୬୦ ଲକ୍ଷ ଟଙ୍କାରେ ନିଲାମରେ ନେଇଥିଲେ। ପ୍ରତିବର୍ଷ ସେଠାରେ ଗଣେଶଙ୍କ ନିକଟରେ ଭୋଗ କରାଯାଉଥିବା ଲଡୁକୁ ନିଲାମ କରାଯିବା ପରେ ଗଣେଶଙ୍କ ବିସର୍ଜନ ଉତ୍ସବ ଆରମ୍ଭ ହୋଇଥାଏ। ୨୦୧୮ରେ ଲଡୁ ୧୬.୬୦ ଲକ୍ଷ ଟଙ୍କାରେ ନିଲାମ କରାଯାଇଥିଲା।

Leave a Reply

Your email address will not be published. Required fields are marked *