ରାଉରକେଲା : ରାଉରକେଲା ପ୍ଲାଣ୍ଟ୍ ସାଇଟ୍ ଥାନା ରେଳବାଇ କଲୋନୀ ରିମଝିମ ବସ୍ତିରେ ପୁଣି ଗଡିଛି ମୁଣ୍ଡ । ଗୁଳିମାଡର ଜିତେନ୍ଦ୍ର ସାଏ ଓରଫ ଗୋରେଙ୍କ ଜୀବନ ଯାଇଛି । ଆହତ ମାଉସୀ ଲକ୍ଷ୍ମୀ ଦେବୀ ଆଇଜିଏଚରେ ଚିକିତ୍ସିତ ହେଉଛନ୍ତି ।
ସୂଚାଯୋଗ୍ୟ ଯେ, ମାସ ତଳେ ରେଳବାଇ କଲୋନୀ ପଡିଆରେ ଘଟିଥିବା ଦିଲସାଦ ଖାଁ ହତ୍ୟା ଘଟଣାରେ ଜିତେନ୍ଦ୍ର ସାଏ ଓରଫ ଗୋରେ ଗିରଫ ହୋଇ ଜେଲ୍ ଯାଇଥିଲା । ଆଉ କିଛି ଦିନ ତଳେ ଜାମିନରେ ଆସିଥିଲା । ଦିଲସାଦ ଖାଁ ହତ୍ୟାର ପ୍ରତିଶୋଧ ନେବା ପାଇଁ ଦିଲସାଦର ସମର୍ଥକ ସହ ସାନ ଭାଇ ଜିତେନ୍ଦ୍ର ସାଏ ଓରଫ ଗୋରେକୁ ହତ୍ୟା କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା ବ୍ଲୁ ପ୍ରିଣ୍ଟ । ଶୁକ୍ରବାର ସନ୍ଧ୍ୟା ପାଖାପାଖି ୭ଟାରେ ୪ରୁ ୫ ଜଣ ଦୁର୍ବୃତ୍ତ ରିମଝିମ ବସ୍ତିକୁ ଯାଇଥିଲେ । ଗୋରେ ଘରୁଠାରୁ ପ୍ରାୟ ଦେଢ ଶହ ମିଟର ଦୂରରେ ଥିବା ତାର ମାଉସୀ ଘର ନିକଟରେ ଗୋରେକୁ ପାଇ ଗୁଳି ଚଳାଇଥିଲେ । ୬ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ଗୋରେ ଦେହରେ ବାଜିଥିଲା ଗୁଳି । ମାଉସୀ ଲକ୍ଷ୍ମୀ ଦେବୀ ମଧ୍ୟ ଆହତ ହୋଇଥିଲେ । ଡାକ୍ତର ଗୋରେକୁ ମୃତ ଘୋଷଣା କରିଥିବା ବେଳେ ଲକ୍ଷ୍ମୀ ଦେବୀ IGH ରେ ଚିକିତ୍ସିତ ହେଉଛନ୍ତି ।
ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରିମଝିମ ବସ୍ତି ସହ IGHରେ ପୋଲିସ ମୁତୟନ କରାଯାଇଛି । ଅନ୍ୟପଟେ ଅଭିଯୁକ୍ତମାନେ ଫେରାର ହୋଇଥିବା ବେଳେ ଦିଲସାଦ ଖାଁର ସାନ ଭାଇ ଅମୀରକୁ ପ୍ଲାଣ୍ଟ ସାଇଟ୍ ପୋଲିସ ଥାନାରେ ଅଟକ ରଖିଛି । ରାଉରକେଲା ପୋଲିସ ଆରମ୍ଭ କରିଦେଇଛି ତନାଘନା । ଅନ୍ୟ ପଟେ ଆଜି ସବ ବେବଛେଦ କରାଯାଇ ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର ।
