ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସିଆରପିଏଫ ଛକରୁ ଏକାମ୍ର କାନନ ଆଡକୁ ଯିବା ରାସ୍ତା। ରାସ୍ତାରେ ପୋତା ହୋଇଛି ଗୋଟିଏ ସୁନ୍ଦର ଗଛ। ଆପଣ ବି ଭାବୁଥିବେ ନିଶ୍ଚୟ ଯେ ରାସ୍ତାରେ ଏହି ଗଛଟି ପୋତିଲା କିଏ ଓ କାହିଁକି। ଗଛ ଲଗାଇବା ପାଇଁ ତ ଅନେକ ଜାଗା, ତେବେ ଏହିଭଳି ରାସ୍ତାରେ କାହିଁକି କିଏ ଗଛ ଲାଗାଇଛି। ଆସନ୍ତୁ ଜାଣିବା…
ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ଅଞ୍ଚଳ ସିଆରପିଏଫରୁ ଏକାମ୍ର କାନନ ଯିବା ରାସ୍ତା। ଏହି ଅଞ୍ଚଳରେ ଅନେକ ସରକାରୀ କ୍ଵାଟର, ସମ୍ଭ୍ରାନ୍ତ ଶ୍ରେଣୀର ଘର ଅଛି ଓ ଆଖରେ ଭୁବନେଶ୍ୱରର ଭିଆଇପି କଲୋନୀ ଅଛି। ଏହି ରାସ୍ତାରେ ସବୁବେଳେ ଲୋକଙ୍କ ଗହଳି ଲାଗି ରହିଥାଏ। କିନ୍ତୁ ରାସ୍ତା ଅବସ୍ଥା ଯାହା ଆପଣ ଦେଖି ପାରୁଥିବେ। ବର୍ଷା ପାଣି ଯୋଗୁଁ ରାସ୍ତା ଭାଙ୍ଗି ଗଲାଣି। ରାସ୍ତାର ଅନେକ ସ୍ଥାନରେ ଖାଲ ଢିପ। ରାସ୍ତା ସାଇଡକୁ ଜମା ହୋଇଛି ମାଟି ଓ ଚିପ୍ସ। ବର୍ଷା ଦିନେ ଏଠାରେ ପାଣି ବି ଜମା ହଉଛି। ଅନେକ ଦିନ ହେଲା ରାସ୍ତା ଏମିତି ପଡିଛି କିନ୍ତୁ ପ୍ରଶାସନର ଏଥିପ୍ରତି ଦୃଷ୍ଟି ନାହିଁ। ରାସ୍ତା ଅବସ୍ଥା ଯାହା ସେଇଠି ପ୍ରାୟ ସବୁଦିନ ଛୋଟମୋଟ ଦୁର୍ଘଟଣା ଘଟୁଛି। ଅନେକ ଲୋକ ଦୁର୍ଘଟଣାରେ ଆହତ ହେଉଛନ୍ତି। କିନ୍ତୁ ତଥାପି ପ୍ରଶାସନ ରାସ୍ତା ତିଆରି କରୁନାହିଁ। ଫଳରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହିସବୁ ସମସ୍ୟାକୁ ଏଡ଼ାଇବା ପାଇଁ ଜଣେ ସ୍ଥାନୀୟ ଦୋକାନୀ ଏହି ଗଛ ଲଗାଇଛନ୍ତି। ଦୋକାନୀଙ୍କ ଉଦ୍ଦେଶ୍ୟ ଆଉ କିଛି ନୁହେଁ କେବଳ ଲୋକଙ୍କୁ ସଚେତନ କରିବା ଓ ଲୋକଙ୍କ ଜୀବନ ରକ୍ଷା କରିବା। ରାସ୍ତାରେ ଗଛ ଦେଖି ଲୋକେ ଜାଣିଶୁଣି କଡେଇ ହୋଇ ଯିବା ଆସିବା କରନ୍ତି। ଫଳରେ ଦୁର୍ଘଟଣା ତ ଅନ୍ତତ ହ୍ରାସ ପାଉଛି। ଦୋକାନୀଙ୍କ ଏହି ପ୍ରୟାସ ଯୋଗୁଁ ଅନେକ ଜୀବନ ରକ୍ଷା ପାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରଶାସନ ଆଉ କେତେ ଦିନ ଚୁପ ବସିବ।
