ବ୍ରହ୍ମପୁର : ସିମେଣ୍ଟ ଇଟା ଫ୍ୟାକ୍ଟ୍ରିରେ ଅଘଟଣ । ବିଦ୍ୟୁତ ଆଘାତରେ ନାବାଳକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ମାଝିଗାଁ ନିକଟ ଏକ ସିମେଣ୍ଟ ଇଟା ଫ୍ୟାକ୍ଟ୍ରିରେ ବିଦ୍ୟୁତ ଆଘାତରେ ୧୫ ବର୍ଷର ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଶାସନପଦର ଗ୍ରାମର ବୁଲୁ ଦାସଙ୍କ ପୁଅ ରାଜେଶ ଦାସ ।
ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଏହି ଅଘଟଣ ଘଟିଛି । ରାଜେଶ ସମ୍ପର୍କୀୟ ପିଉସାଙ୍କ ସହିତ ଇଟା ପ୍ରସ୍ତୁତ ଫ୍ୟାକ୍ଟ୍ରିକୁ କୌଣସି କାମରେ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ମୃତ ରାଜେଶଙ୍କ ପରିବାର ଲୋକ ବାହାର ରାଜ୍ୟରେ କାମ କରୁଥିବା ବେଳେ ସେ ସମ୍ପର୍କୀୟଙ୍କ ପାଖରେ ରହୁଥିଲା। ତେବେ ଘଟଣା ପରେ ସମ୍ପର୍କୀୟମାନେ ତରବରିଆ ଭାବେ ଶବକୁ ଦାହ କରିବାକୁ ଶ୍ମଶାନକୁ ନେଇ ଯାଉଥିଲେ। କିନ୍ତୁ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି। ତଦନ୍ତ ଚାଲିଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।
