ନୂଆଦିଲ୍ଲୀ : ପବିତ୍ର କୃଷ୍ଣ ଜନ୍ମାଷ୍ଟମୀରେ ଛାତ୍ରୀଙ୍କ ଉପବାସ ଶିକ୍ଷକଙ୍କ ଦେହର ଗଲାନି। ଶ୍ରେଣୀ ଗୃହରେ ଛିଡ଼ା କରି ପିଟିଲେ ଶିକ୍ଷକ। ଏନେଇ ଅଭିଯୋଗ ମିଳିବା ପରେ ଜିଲ୍ଲା ପ୍ରଶାସନ ଶିକ୍ଷକଙ୍କୁ ନିଲମ୍ବନ କରିଛି। ଛତିଶଗଡ଼ କୋଣ୍ଡାଗ୍ରାମ ଜିଲ୍ଲା ଏକ ସରକାରୀ ସ୍କୁଲର ଶିକ୍ଷକଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏନେଇ ଗୁରୁବାର ସୂଚନା ମିଳିଛି।
ଶିକ୍ଷକ ଚରଣ ସରକାମ ରାଜଧାନୀ ରାଇପୁରରୁ ୨୦୦ କିମି ଦକ୍ଷିଣରେ ଅବସ୍ଥିତ କୋଣ୍ଡାଗ୍ରାମର ଏକ ସରକାରୀ ସ୍କୁଲରେ ଶିକ୍ଷକତା କରନ୍ତି। ସରକାମ ଗତ ମଙ୍ଗଳବାର ଦିନ ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ମାଡ଼ ମାରିଥିବ ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ।
ଜନ୍ମାଷ୍ଟମୀରେ କେଉଁମାନେ ଉପବାସ କରିଛ ହାତ ଟେକ ବୋଲି କ୍ଲାସ୍ରେ ପଚାରିଥିଲେ ଚରଣ ସରକାମ। ଯେଉଁ ଛାତ୍ରୀମାନେ ଉପବାସ କରିଥିଲେ ସେମାନେ ହାତ ଉଠାଇବରୁ ଶିକ୍ଷକ ସେମାନଙ୍କୁ ମାଡ଼ ମାରିଥିଲେ । ଜିଲ୍ଲା ପ୍ରଶାସନ ପାଖରେ ଏନେଇ ଅଭିଯୋଗ ପହଞ୍ଚିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ସେପଟେ ଥାନାରେ ଶିକ୍ଷକଙ୍କ ବିରୋଧରେ କୌଣସି ମାମଲା ହୋଇନଥିବା ଜଣାପଡ଼ିଛି ।
