ମୁମ୍ବଇ: ଲୋକପ୍ରିୟ ଟେଲିଭିଜନ ଓ ଚଳଚ୍ଚିତ୍ର ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଅକାଳ ବିୟୋଗ ଘଟିଛି। ଦୀର୍ଘକାଳରୁ ଚାଲିଥିବା ଲୋକପ୍ରିୟ ଟିଭି ସୋ’ ବାଳିକା ବଧୁରେ ଅଭିନୟ ପାଇଁ ଦର୍ଶକଙ୍କ ନିକଟରେ ସୁପରିଚିତ ହୋଇଥିବା ସିଦ୍ଧାର୍ଥଙ୍କର ଗୁରୁବାର ସକାଳେ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ତାଙ୍କ ମା’ ଓ ଦୁଇ ଭଉଣୀ ଅଛନ୍ତି। ସ୍ଥାନୀୟ ଏକ ଘରୋଇ ହସପିଟାଲ ପକ୍ଷରୁ କୁହାଯାଇଛି ଯେ ହୃଦଘାତ ପରେ ତାଙ୍କୁ ତୁରନ୍ତ ହସପିଟାଲକୁ ଅଣାଯାଇଥିଲା, ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା। ସିଦ୍ଧାର୍ଥ ଜଣେ ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିବା ପରେ ‘ବାବୁଲ କା ଆଙ୍ଗନ ଛୁଟେ ନା’ ଟେଲିଭିଜନ ସୋ’ରେ ଅଗ୍ରଣୀ ଭୂମିକାରେ ଅଭିନୟ କରିଥିଲେ। ପରେ ‘ଜାନେ ପେହଚାନେ ସେ..ୟେ ଅଜନବି’, ‘ଲଭ ୟୁ ଜିନ୍ଦେଗି’ ଆଦିରେ ଅଭିନୟ କରିଥିଲେ। ତେବେ ବାଳିକା ବଧୁ ତାଙ୍କୁ ଖ୍ୟାତି ଆଣିଦେଇଥିଲା। ସେ ମଧ୍ୟ ରିଅଲଟି ସୋ ‘ଝଲକ ଦିଖଲା ଯା ୬’, ‘ରିଅର ଫାକ୍ଟର: ଖତ୍ରୋଁ କେ ଖିଲାଡି’ ଏବଂ ‘ବିଗ୍ ବସ ୧୩’ରେ ଅଂଶଗ୍ରହଣ କରିଥିଲେ। ୨୦୧୪ରେ ସିଦ୍ଧାର୍ଥ କରନ ଜୋହରଙ୍କ ପ୍ରଯୋଜିତ ‘ହମ୍ପଟି ଶର୍ମା କି ଦୁଲହନିଆ’ରେ ଏକ ସହଯୋଗୀ ଚରିତ୍ରରେ ଅଭିନୟ କରିଥିଲେ।
