ଆସାମ ବନ୍ୟା ପରିସ୍ଥିତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମରେ ଉପୁଜି ଥିବା ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହି ବନ୍ୟାରେ ରାଜ୍ୟର ୨୧ଟି ଜିଲ୍ଲାର ୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏହାର ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶୃତି ଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ତାଙ୍କୁ ଟେଲିଫୋନ୍ କରି ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବିଝିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ବିପଦର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ଆସାମକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ନିଶ୍ଚିତ କରିଛନ୍ତି।

ବର୍ତ୍ତମାନ ଆସାମରେ ଦେଖା ଦେଇଥିବା ବନ୍ୟା ଲୋକଙ୍କ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇଛି। ଏହି ସଙ୍କଟ ସମୟରେ ସହାୟତାର ହାତ ବଢ଼ାଇ ଥିବାରୁ ଆଦରଣୀୟ ମୋଦୀ ଜୀଙ୍କୁ ମୋର କୃତଜ୍ଞତା ବୋଲି ଶ୍ରୀ ବିଶ୍ୱ ଶର୍ମା ତାଙ୍କ ଟ୍ୱିଟରରେ କହିଛନ୍ତି। ରାଜ୍ୟର ବିଭିନ୍ନ ଅଂଚଳରେ ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀଗୁଡିକରେ ବନ୍ୟା ଜଳ ବିପଦ ସ୍ତରରୁ ଉପରେ ପ୍ରବାହିତ ହେବା ସହ ଭୟଙ୍କର ରୂପ ଗ୍ରହଣ କରିଛି। ଏହି ବନ୍ୟା ଯୋଗୁ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଥିବା ଜୀବଜନ୍ତୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେହି ଅଂଚଳରେ ଥିବା ୧୫୩ଟି କ୍ୟାମ୍ପ ଜଳଘେରରେ ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *