ଭୁବନେଶ୍ଵର ୨୮।୦୮: ଚଳଚ୍ଚିତ୍ରରେ ଆମେ ଅଭିନେତାମାନଙ୍କୁ ଭଲ ବାର୍ତ୍ତା ଦେଉଥିବା ଦେଖିବାକୁ ପାଉ। ହେଲେ ବାସ୍ତବରେ ଅଭିନେତାଙ୍କ ଆଚରଣ ଆଉ ଉଚ୍ଚାରଣରେ ବେଳେ ବେଳେ ଅନେକ ଫରକ ଦେଖିବାକୁ ମିଳିଥାଏ। ଏହାକୁ ନେଇ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଅଭିନେତା ବବି ମିଶ୍ରଙ୍କ କ୍ଷେତ୍ରରେ। ନିଶାରେ ଚୁର ହୋଇ ପଡୋଶୀଙ୍କ ସହ ଗଣ୍ଡଗୋଳ କଲେ। ମାଡ ବି ମାରିଲେ। ମାମଲା ଯାଇ ଥାନାରେ ପହଞ୍ଚିଲା। ଦୀର୍ଘ ସମୟ ପଚରା ଉଚୁରା ପରେ ଶନିବାର ସନ୍ଧ୍ୟାରେ କମିଶନରେଟ୍ ପୋଲିସ ବବିଙ୍କୁ ନୋଟିସ୍ ଦେଇ ଛାଡିଛି। ହେଲେ ନିଜର ଆଚରଣ ବଦଳାଇବାକୁ ଚେତାବନୀ ଦେଇଛି ପୋଲିସ। ଏମିତି ଘଟଣା ପୁନର୍ବାର ଦୋହରାଇଲେ ଆକ୍ସନ ନିଆଯିବ ବୋଲି ଅଭିନେତା ବବିଙ୍କୁ ରୋକ୍ ଠୋକ୍ ଜଣାଇ ଦେଇଛନ୍ତି କମିଶନରେଟ୍ ପୋଲିସ।
ସୂଚନା ଅନୁଯାୟୀ, ଗାଡି ପାର୍କିଂକୁ ନେଇ ନିଶାସକ୍ତ ଅବସ୍ଥାରେ ବବି ତାଙ୍କ ପଡ଼ୋଶୀଙ୍କୁ ବନ୍ଧୁକ ମୁନରେ ଡରାଇଥିଲେ। ନିସ୍ତୁକ ମାଡ ମଧ୍ୟ ମାରିଥିଲେ। ପଡ଼ୋଶୀଜଣକ ଏନେଇ ଶନିବାର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ପୁଲିସ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ଚଳାଇଥିଲେ। ଏହା ପରେ ନୟାପଲ୍ଲୀ ଥାନା ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ପଚରାଉଚୁରା କରିଥିଲେ। ପଚରା ଉଚୁରା ପରେ ବବିଙ୍କୁ ପୋଲିସ ନୋଟିସ୍ ଦେବା ସହ ଚେତାବନୀ ଦେଇ ଛାଡିଛି। ଏମିତି ଝାମେଲା ଯେମିତି ପୁନର୍ବାର ନଘଟେ ସତର୍କ କରାଇଛି ପୋଲିସ।
ପଡ଼ୋଶୀଙ୍କ ଅଭିଯୋଗ ମୁତାବକ, ବବି ନୂଆପଲ୍ଲୀ ଆଇଆର୍ସି ଭିଲେଜ୍ର ଏନ୍ନ୍-୧ରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଛନ୍ତି । କିଛି ଦିନ ହେଲା ସେ ମାନସିକ ଚିନ୍ତାରେ ରହୁଥିଲେ । କୌଣସି କାରଣ ନେଇ ସମ୍ପୃକ୍ତ ପଡ଼ୋଶୀଙ୍କ ସହ ବଚସା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ବବି ଘରୁ ଏକ ବନ୍ଧୁକ ଆଣି ତାଙ୍କୁ ଧମକାଇଥିଲେ । ଏମିତିକି ଆପାର୍ଟମେଣ୍ଟର ଅନ୍ୟ ଅନ୍ତେବାସୀଙ୍କ ସାମ୍ନାରେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ ।
