୬ ଘଣ୍ଟା କାଳ ଅଟକ ରଖିଲେ ସରପଞ୍ଚଙ୍କୁ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତର ୪ ଗୋଟି ଗ୍ରାମ  ସାହାଜପଡା,ଡକରିଗୁଡା,ବଣ୍ଡେଲ ଓ ବାରଗୁଡା ଲୋକେ ଗାଁ ନିକଟସ୍ଥ କଲ୍ୟାଣି ନଦୀରେ ବ୍ରିଜ ଓ ରାସ୍ତା ତିଆରି କରିବାକୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅତି ଶୀଘ୍ର ଦାବି ପୂରଣ ନହେଲେ ବିଜେପୁର-ଲାଞ୍ଜିଗଡ ଓ ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତା ଅବରୋଧ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନେଇ ଗଣମାଧ୍ୟମ ଆଗରେ ଚେତାବନୀ ଦେଇଛନ୍ତି।

ଅଭିଯୋଗ ଅନୁସାରେ ବିଜେପୁର ପ୍ରଧାନୀପଡା ଛକରୁ ସାହାଜପଡା ଗ୍ରାମକୁ ଯାଇଥିବା ୪ କିଲୋମିଟର ପାଦଚଲା ରାସ୍ତା ଶୋଚନୀୟ ହୋଇ ପଡିରହିଛି। ସେହିପରି ଅନ୍ୟପଟେ ସାହାଜପଡା ଗାଁଠାରୁ ସିନ୍ଧଭଟା ଗାଁ ମଝିରେ କଲ୍ୟାଣି ନଦୀ ରହିଥିବା ବେଳେ ସମ୍ପୂର୍ଣ୍ଣ ଭାବେ ସାହାଜପଡାକୁ ନଦୀ ଘେରି ରହିଛି। ସାହଜପଡା ଠାରୁ ଡକରିଗୁଡା,ବଣ୍ଡେଲ ଓ ବାରଗୁଡା ଗାଁକୁ ମଧ୍ୟ ପାଦଚଲା ରାସ୍ତା ରହିଛି। ଯାହା ଫଳରେ ବର୍ଷା ଦିନେ ନିଜ ପଞ୍ଚାୟତ କାର୍ଯ୍ୟାଳୟ ବିଜେପୁରକୁ ଓ ବ୍ଳକ କାର୍ଯ୍ୟାଳୟ ବିଶ୍ୱନାଥପୁରକୁ ଯିବା ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାହାଜପଡା ଓ ବିଜେପୁର ପ୍ରଧାନୀ ପଡା ମଧ୍ୟରେ ଥିବା କଲ୍ୟାଣି ନଦୀରେ ବ୍ରିଜ ନଚେତ ସାହାଜ ପଡା ଓ ସିନ୍ଧଭଟା ମଧ୍ୟରେ ବ୍ରିଜ ଓ ରାସ୍ତା ନିର୍ମାଣ କରିବାକୁ ନେଇ କଳାହାଣ୍ଡି ଜିଲ୍ଲାପାଳ, ସାଂସଦ, ବିଧାୟକ,ବିଡିଓ ଓ ସରପଞ୍ଚଙ୍କ ପାଖରେ ବର୍ଷ ବର୍ଷ ଧରି ଏହି ୪ ଗୋଟି ଗ୍ରାମବାସୀ ଆଜିକୁ ୪୦ ବର୍ଷ ହେଲା ଦାବି ଜଣାଇ ଆସୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।
ଯାହା ଫଳରେ କଲ୍ୟାଣି ନଦୀ ଆରପଟେ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ସ୍ୱାସ୍ଥ୍ୟ ଉପକେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ ରହିଥିବା ବେଳେ ବର୍ଷା ୬ ମାସ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ଜୀବନ କାଟୁଥିବା ବେଳେ ଆଉ ୬ ମାସ ନଦୀରେ ପାଣି କମିବା ଫଳରେ ବାଲିବସ୍ଥା ଦେଇ ଯାତାୟାତ କରୁଥିବା ବେଳେ ବର୍ଷ ବର୍ଷ ଧରି ଏହି ୪ ଗୋଟି ଗ୍ରାମର ୩ ଶହ ୫୦ ପରିବାର ପ୍ରାୟ ୨ ହଜାର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଛାତ୍ରଛାତ୍ରୀ ସ୍କୁଲ ଓ କୁନିକୁନି କୋମଳମତି ଶିଶୁ ମାନେ ଅଙ୍ଗନବାଡି କେନ୍ଦ୍ରକୁ ଯିବା ପାଇଁ ଲୋକେ ୩ରୁ ୪ ଫୁଟ ପାଣିରେ ନଦୀ ପାର କରୁଥିବା,ପଞ୍ଚାୟତରୁ ପିଡ଼ିଏସ୍ ଚାଉଳ ଓ ବୃଦ୍ଧା ବୃଦ୍ଧମାନେ ଭତ୍ତା ପଇସା ଆଣିବା,ଗାଈଗୋରୁ ନଦୀ ପାର ହେବା,ରୋଗୀ,ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଖଟିଆରେ ବୋହି ନେଉଥିବା ଦୃଶ୍ୟ ବର୍ଷ ବର୍ଷ ଧରି ନିତିଦିନିଆ ହୋଇଯାଇଛି ବୋଲି ଗାଁ ଲୋକେ ପ୍ରକାଶ କରିଛନ୍ତି।
ରାସ୍ତା ଓ ବ୍ରିଜ ନଥିବା ଯୋଗୁଁ ଏହି ୪ ଗୋଟି ଗ୍ରାମରେ ବହୁ ସଂଖ୍ୟକ ଲୋକେ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ଯୋଜନାରୁ ବଞ୍ôଚତ ହେଉଥିବା ବେଳେ ପ୍ରଧାନ ମନ୍ତ୍ରୀ ଯୋଜନାରେ ଘର ଖଣ୍ଡିଏ ମଧ୍ୟ କରି ପାରୁ ନାହାନ୍ତି। ଯାହା ବି ଲୋକେ ଘର କରିଛନ୍ତି ୪ ରୁ ୭ କିମି ରାସ୍ତା ପର୍ଯ୍ୟନ୍ତ ରଡ଼, ସିମେଣ୍ଟ, ବାଲି ବୋହି କି ଆଣିବା ପାଇଁ କୁଲିକୁ ମଜୁରୀ ଦେଇ ଛଅ ଟଙ୍କାର ଘୁଡାକୁ ନଅ ଟଙ୍କା ଖର୍ଚ୍ଚ ହେଉଥିବା ଲୋକେ ପ୍ରକାଶ କରିଛନ୍ତି। ଗ୍ରାମର ରାସ୍ତା ଓ ବ୍ରିଜ ନଥିବା ଯୋଗୁଁ ଗାଁକୁ ନଳକୂପ ଗାଡି ଆସି ପାରୁ ନାହିଁ।ତେଣୁ ଗାଁ ଲୋକେ ନଦୀ ପାଣିକୁ ବ୍ୟବହାର କରୁଛନ୍ତି। ବର୍ଷ ବର୍ଷ ଧରି ଏହି ଗ୍ରାମ ମାନଙ୍କରେ ଏଭଳି ପରିସ୍ଥିତି ଲାଗି ରହିଥିବା ବେଳେ ଆଜିଯାଏ ପ୍ରଶାସନ କୌଣସି ପଦକ୍ଷେପ ନେଉନାହଁ। ଏହାକୁ ଦୃଷ୍ଟିରେ ରଖି ଆଜି ଏହା ବିରୁଦ୍ଧରେ ସାହାଜପଡା,ଡକରିଗୁଡା,ବଣ୍ଡେଲ ଓ ବାରଗୁଡା ଗ୍ରାମର ଜନସାଧାରଣଙ୍କୁ ନେଇ କଲ୍ୟାଣି ନଦୀ ତଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ୪ ଗୋଟି ଗ୍ରାମର ଶତାଧିକ ଲୋକେ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ ମଧ୍ୟ ଉପସ୍ଥିତ ଥିଲେ।ଲୋକେ ସରପଞ୍ଚଙ୍କୁ  ପ୍ରାୟ ୬ ଘଣ୍ଟା କାଳ ଅଟକ ରଖିଥିବା ନିଜେ ସରପଞ୍ଚ ପ୍ରକାଶ କରିଛନ୍ତି।ବର୍ତ୍ତମାନ ଅତିଶୀଘ୍ର ଆମ କଥା ପ୍ରଶାସନ ନ ଶୁଣିଲେ ଆମେ ୪ ଗୋଟି ଗ୍ରାମବାସୀ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ବିଜେପୁର-ଲାଞ୍ଜିଗତ ଓ ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତା ଅବରୋଧ କରିବୁ ବୋଲି ଏହି ୪ ଗୋଟି ଗ୍ରାମର ବାସିନ୍ଦା ଗୋପବନ୍ଧୁ ସାହୁ,ଗୌରଚନ୍ଦ୍ର ସାହୁ, ରୁମା ମାଝୀ, ଶି୍ୱ ମାଝୀ,କୁଞ୍ଜା ମାଝୀ, କୈଳାସ ସାହୁ, ଟିଲା ମାଝୀ, ବାମଣା ମାଝୀ, ଘାସି ମାଝୀ, ରାମତୁ ମାଝୀ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *