ଶିକ୍ଷୟତ୍ରୀଙ୍କ ମାଡରେ ଛାତ୍ର ଗୁରୁତ୍ତର ଆହତ

ଔପଦା : ଶିକ୍ଷୟତ୍ରୀଙ୍କ ମାଡରେ ଛାତ୍ର ଗୁରୁତ୍ତର ଆହତ ହୋଇଥିବା ଔପଦା ଥାନାରେ ଅଭିଯୋଗ ହୋଇଛି । ଔପଦା ହାଇସ୍କୁଲର ଶିକ୍ଷୟତ୍ରୀ ସଞ୍ଜୁକ୍ତା ଦାସ ସେହି ସ୍କୁଲର ଦଶମ ଶ୍ରେଣୀର ଛାତ୍ର ପ୍ରଭୁପ୍ରସାଦ ଦାସଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆଜି ପ୍ରଭୁପ୍ରସାଦ ସ୍କୁଲକୁ ଆସି କ୍ଲାସ ରେ ବସିଥିବା ବେଳେ ପ୍ରବଳ ଗରମ ସହି ନପାରି ସେ ଫ୍ୟାନ ଲାଗିଥିବା ସ୍ଥାନରେ ବସି ପଡ଼ିଥିଲେ। ସେହି ସମୟରେ ସେହି ଶ୍ରେଣୀକୁ କ୍ଲାସ କରିବାକୁ ଆସିଥିବା ସାହିତ୍ୟ ଶିକ୍ଷୟତ୍ରୀ ନିଜ ସ୍ଥାନ ଛାଡି ସେଠି ବସିଛୁ କାହିଁକି କହି ଏକ ବାଡିରେ ପିଟିଥିଲେ । ଯାହାଫଳରେ ଛାତ୍ର ପ୍ରଭୁପ୍ରସାଦଙ୍କର କାନ ପଛପଟ ଫୁଲିଯାଇଥିବା ବେଳେ ମଝି ଆଙ୍ଗୁଠିରେ ଆଘାତ ଲାଗିଛି । ଖବର ପାଇ ଛାତ୍ରଙ୍କ ବାପା ରାମେଶ୍ବର ଦାସ ତୁରନ୍ତ ପୁଅକୁ ଔପଦା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବା ସହିତ ଔପଦା ଥାନାରେ ଶିକ୍ଷୟତ୍ରୀଙ୍କ ନାମରେ ଲିଖତ ଅଭିଯୋଗ କରିଛନ୍ତି I ପୁଲିସ ବର୍ତ୍ତମାନ ସୁଧା କୈଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ରାମେଶ୍ବର କହିଛନ୍ତି I

Leave a Reply

Your email address will not be published. Required fields are marked *