ବୌଦ୍ଧ: ବିକାଶ ଦିଗରେ ଅଗ୍ରଗତି କରୁଥିବା ବୌଦ୍ଧଜିଲା ପାଇଁ ଗଂଜେଇ ଚାଷ ଏକ କଳଙ୍କ ଭାବରେ ଦେଖାଦେଇଛି। ଏହି ବେଆଇନ ଚାଷ ପାଇଁ ଜିଲା ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ କୁଖ୍ୟାତି ଅର୍ଜନ କରିବାରେ ଲାଗିଲାଣି। ତେଣୁ ବେଆଇନ ଗଂଜେଇ ଚାଷକୁ ନେଇ ଜିଲାର ବୁଦ୍ଧଜିବୀମାନେ ଏବେ ଚିନ୍ତା ପ୍ରକଟ କଲେଣି। ଏହି ବେଆଇନ ଚାଷ ଯୋଗୁଁ ପୋଲିସ,ଅବକାରୀ,ରାଜସ୍ୱ ଓ ଜଙ୍ଗଲ ବିଭାଗର ଅନେକ ଅସାଧୁ କର୍ମଚାରୀ କୋଟିପତି ହୋଇସାରିଥିବାବେଳେ ଜିଲାର ଗ୍ରାମାଞ୍ଚଳରେ ଦୃଢ ଅପରାଧିକ ଭିତ୍ତିଭୂମି ସୃଷ୍ଟି ହେବାରେ ଲାଗିଛି। ଅଳ୍ପଦିନ ଭିତରେ ଧନ ଅର୍ଜନ ନିଶାରେ ବେକାର ଯୁବକମାନେ ଏହି ବେଆଇନ କାରବାର ସହ ସଂପୃକ୍ତ ହେଉଥିବା ଦେଖିବାକୁ ମିଳୁଅଛି।
ଗଂଜେଇ ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ଜିଲ୍ଲାର ଉପାନ୍ତ ଓ ଆଭ୍ୟନ୍ତରିଣ ଅଂଚଳରେ ବ୍ୟାପକ ଗଂଜେଇ ଚାଷ କରାଯାଉଛି। ଏହି ଗଂଜେଇ ସବୁକୁ ଜିଲ୍ଲାର ବିଭିନ୍ନ ରାସ୍ତାଦେଇ ଚାରି ଚକିଆ ଓ ଦୁଇ ଚକିଆ ଯାନ ମାଧ୍ୟମରେ ଚାଲାଣ କରାଯାଉଛି। ଏହି କାରବାରରେ ଗଂଜେଇ ମାଫିଆ ମାନଙ୍କୁ ପୋଲିସ ବିଭାଗର କିଛି ଅସାଧୁ କର୍ମଚାରୀ ସହଯୋଗ କରୁଥିବାର ଅଭିଯୋଗ ହେଉଅଛି। ଯାହାଫଳରେ ମାଫିଆମାନେ ନିର୍ଭୟରେ ଜିଲ୍ଲାରୁ ବାହାରକୁ ଗଂଜେଇ ଚାଲାଣ କରିପାରୁଛନ୍ତି। ଗତ ଜୁଲାଇମାସ ୧୨ ତାରିଖରେ ଜିଲ୍ଲାରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଜ୍ଞାନରଂଜନ ମହାନ୍ତି ଦାୟିତ୍ୱ ନେବାପରେ ଜିଲ୍ଲା ପୋଲିସ ବିଭାଗ ଚଳଚଂଚଳ ହୋଇ ପଡିଥିଲା। ଆରକ୍ଷୀ ଅଧିକ୍ଷକଙ୍କ କଡା ତାଗିଦ ପରେ ଗଂଜେଇ ଚାଲାଣ ରୋକିବାକୁ ଯୋଜନା ଆରମ୍ଭ କରାଯାଇଥିଲା। ଯାହା ଫଳରେ ବୌଦ୍ଧଜିଲ୍ଲା ପୋଲିସ ପକ୍ଷରୁ ଏକ ମାସ ମଧ୍ୟରେ ୨୧ କ୍ୱିଣ୍ଟାଲ ୧୯ କିଲୋ ଗଂଜେଇ ଜବତ କରାଯାଇବା ବେଳେ ୧୯ ଜଣଙ୍କୁ ଗିରଫ କରାଯାଇଛି ଓ ୭ ଜଣ ଫେରାର ହେବାରେ ସଫଳ ହୋଇଛନ୍ତି। ଚାଲାଣ ସମୟରେ ପୋଲିସ ୯ଟି ଚାରି ଚକିଆ ୩ଟି ଦୁଇ ଚକିଆ ଯାନ ଜବତ କରିଛି। ତଥାପି ଜିଲ୍ଲାରୁ ଚୋରା ଗଂଜେଇ ଚାଲାଣ କମି ନ ଥିବା କୁହାଯାଉଛି। ଏବେବି ବିଭିନ୍ନ ବାଟ ଦେଇ ଗଂଜେଇ ଚାଲାଣ କରାଯାଉଥିôବା ନେଇ ସାଧାରଣରେ ଆଲୋଚନା ହେଉଛି। ମିଳିଥିବା ସୂଚନା ମୁତାବକ ଜିଲାର ୪ ଗୋଟି ଥାନାରେ ଜବତ ଗଂଜେଇ ରଖିବାକୁ ଗୋଦାମଘର (ମାଲଖାନା) କମ ପଡିଲାଣି।
