ଅନୁଗୋଳ ୨୪।୮: ଅନୁଗୋଳ ଜିଲ୍ଲାର କିଶୋରନଗର ଥାନା ଉସୁକାପଲି ପଞ୍ଚାୟତର କଟପାଲି ଗାଁର ଏକ ଅଭାବନୀୟ ଘଟଣା ଘଟିଛି । ଏ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଜଣେ ଶିକ୍ଷକ ନିଜ ଜନ୍ମ କଲା ମା’କୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହେବା ପରେ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିଲା ।
ହୃଷିକେଶ ପ୍ରଧାନ ନାମକ ଜଣେ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ତାଙ୍କ ମା’ ସରସ୍ବତୀ ସାହୁ ଏକ ସ୍ଥାନରେ ବସିଥିବା ବେଳେ ତାଙ୍କ ମା’କୁ ମାଡ ମାରୁଛନ୍ତି । ତଣ୍ଟି ଚିପି ଦେବା ସହ ଟେକି କଚାଡୁଥିଲେ । ଆଉ ବୃଦ୍ଧା ମା’ କଷ୍ଟରେ ଚିତ୍କାର କରୁଛନ୍ତି । ସେ ଏଭଳି ଅନେକ ଦିନ ମାଡ ମାରନ୍ତି ବୋଲି ଜଣାପଡ଼ିଛି । ତେବେ ଏଭଳି ସମ୍ବେଦନଶୀଳ ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଜି ଏହି ଘଟଣାକୁ ନେଇ ମାଡ ଖାଇଥିବା ବୁଡିମା ସରସ୍ବତୀ ସାହୁଙ୍କର ସାନ ବୋହୂ ପ୍ରଭାସିନି ସାହୁ କିଶୋରନଗର ଥାନାରେ ଅଭିଯୋଗ କରିଥିଲେ । ପରେ କେସ୍ ନମ୍ବର ବି୧୩୮ରେ ଏତଲା ଦାୟର ହୋଇଛି । ଶିକ୍ଷକ ହୃଷିକେଶ ସାହୁଙ୍କୁ ଆଠମଲ୍ଲିକ କୋର୍ଟକୁ ପଠାଯାଇଥିଲା ।
