ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ବିଧାନସଭା ନିର୍ବାଚନ ଲଢିବାକୁ ଘୋଷଣା କରି ଚର୍ଚ୍ଚାରେ ଥିବା ଅବସରପ୍ରାପ୍ତ ଆଇପିଏସ୍ ଅମିତାଭ ଠାକୁର ପୋଲିସ ଗୃହବନ୍ଦୀ କରିନେଇଥିବା ସୂଚନା ମିଳିଛି । ଏ ନେଇ ଟ୍ବିଟ୍ ଜରିଆରେ ସେ ନିଜେ ସୂଚନା ଦେଇଛନ୍ତି । ଶନିବାର ସକାଳେ ଅମିତାଭ ଠାକୁର ଟ୍ବିଟ୍ କରି କହିଛନ୍ତି, ତାଙ୍କୁ ଗୋରଖପୁର ଯିବାପୂର୍ବରୁ ରୋକାଯାଇଛି । ପୋଲିସ ତାଙ୍କ ଉପରେ କଡା ନଜର ରଖବା ସହିତ କଥାବାର୍ତ୍ତା ଜାରି ରଖିଛି । ସେପଟେ ପୋଲିସ କହିବା ମୁତାବକ ଅମିତାଭ ଠାକୁରଙ୍କ ବିରୁଦ୍ଧରେ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ସାହାଯ୍ୟ କରୁଥିବାର ଅଭିଯୋଗ ରହିଛି । ମାମଲାର ସମ୍ବେଦନଶୀଳତା ଦୃଷ୍ଟିରୁ ତାଙ୍କୁ ପଚରାଉଚରା ଜାରି ରହିଥିବା କହିଛି ତଦନ୍ତ କରୁଥିବା ପୋଲିସ । ଏହା ପୂର୍ବରୁ ଲକ୍ଷ୍ନୌରୁ ବାହାରକୁ ଯିବା ସମୟରେ ତାଙ୍କୁ ରୋକିଥିଲା ପୋଲିସ । କାରଣ ପୀଡିତା ଏବଂ ଘଟଣାସ୍ଥଳ ସହ ଜଡିତ କିଛି ପ୍ରମାଣ ଏବଂ ତଥ୍ୟକୁ ସେ ନଷ୍ଟ କରିଦେଇପାରନ୍ତି ବୋଲି ପୋଲିସ କହିଥିଲା । ଏଥିପାଇଁ ତାଙ୍କୁ ଲକ୍ଷ୍ନୌରୁ ବାହାରକୁ ନଯିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଏହା ପରେ ମଧ୍ୟ ସେ ଆଇନ ଉଲ୍ଲଂଘନ କରିଥିଲେ । ଯାହାଫଳରେ ବାଧ୍ୟହୋଇ ପୋଲିସ ତାଙ୍କୁ ଗୃହବନ୍ଦୀ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ଅର୍ଥାତ ୨୦୨୨ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ବିଧାନସଭା ନିର୍ବାଚନ ଲଢିବା ପାଇଁ ଗତ ସପ୍ତାହରେ ଘୋଷଣା କରିଥିଲେ ପୂର୍ବତନ ଆଇପିଏସ୍ ଅମିତାଭ ଠାକୁର । ଯୋଗୀଙ୍କ ବିରୁଦ୍ଧରେ ନିର୍ବାଚନୀ ଜନସମ୍ପର୍କ ପାଇଁ ଗୋରଖପୁର ଯାଉଥିବା ବେଳେ ଗୋମତୀନଗର ଏସିପି ତାଙ୍କୁ ରୋକିଥିଲେ । ୧୯୯୨ ବ୍ୟାଚର ଆଇପିଏସ୍ ଅମିତାଭ ଠାକୁରଙ୍କୁ ନିକଟରେ ଆଇଜି ପଦରୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଥିଲା ।
