ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି

ମାଲକାନଗିରି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମାଲକାନଗିରିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସ୍ଥାନୀୟ ସଂସ୍କୃତି ଭବନରେ ଏଥିଲାଗି ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। କିଛି ହିତାଧିକାରୀଙ୍କୁ ନବୀନ ହେଲ୍‌ଥ କାର୍ଡ଼ ବଣ୍ଟନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ପ୍ରମୁଖ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ଜରିଆରେ ନବୀନ କହିଛନ୍ତି ଯେ, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ, ସବୁ ଓଡ଼ିଶାବାସୀ ମୋ ପରିବାର। ଚିକିତ୍ସା ପାଇଁ ଲୋକେ ଜମି ବିକନ୍ତି, ପିଲାଙ୍କ ପାଠପଢ଼ା ବନ୍ଦ କରନ୍ତି। ଏହା ମୋତେ ଭାରି ଦୁଃଖ ଦିଏ, ସେମାନଙ୍କ ଦୁଃଖ ଦୂର ପାଇଁ ଏହି ବ୍ୟବସ୍ଥା କରାଯାଇଛି।

ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ଏହି କାର୍ଡ଼ରେ ସୁବିଧା ମିଳିବ। ସେପ୍ଟେମ୍ବର ପହିଲାରୁ କାର୍ଡ଼ କାର୍ଯ୍ୟକାରୀ ହେବ। ପ୍ରତି ପରିବାରକୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ। ଏଭଳି କାର୍ଡ଼ ବିତରଣ ଦେଶରେ ପ୍ରଥମ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ, ଏହାପରେ ମନ୍ତ୍ରୀ ଏବଂ ବିଭିନ୍ନ ନିଗମ ଓ ସରକାରୀ ସଂସ୍ଥାର ଅଧ୍ୟକ୍ଷ, ଉପଦେଷ୍ଟାମାନେ ଗାଁ ଗାଁ ବୁଲି ହିତାଧିକାରୀଙ୍କୁ କାର୍ଡ଼ ବାଣ୍ଟିବେ। ୨୩ ତାରିଖ ପର୍ଯ୍ୟନ୍ତ ସେମାନେ ମାଲକାନଗିରିରେ ରହି ଏହି କାର୍ଯ୍ୟକ୍ରମ ଚଳାଇବେ ବାଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *