ସମସ୍ୟାର ହୋଇପାରୁନି ସମାଧାନ

ମୋହନା: ରାଜ୍ୟର ଦ୍ୱିତୀୟ ବୃହତ୍ତମ ବ୍ଲକ ମୋହନା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର ଜନସଂଖ୍ୟା ପ୍ରାୟ ଦେଢ଼ ଲକ୍ଷ ହୋଇଥିବା ବେଳେ ଏଠାକାର ଜନସାଧାରଣଙ୍କ ଅନୁପାତ ଅନୁସାରେ ୬୦ ଭାଗ ଆଦିବାସୀ, ୨୦ଭାଗ ଦଳିତ ଓ ୨୦ଭାଗ ଅନ୍ୟାନ୍ୟ ବର୍ଗର ଲୋକ ବାସ କରନ୍ତି। ଏମାନଙ୍କର ଜୀବିକା ହେଲା ବଣଜଙ୍ଗଲରୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରିବା ଓ କୁଲି ମଜୁରୀ ଖଟି ପରିବାର ପ୍ରତିପୋଷଣ କରିବା। ଏବେ ଏହି ବ୍ଳକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ଆଜିବି ଅନ୍ଧ ବିଶ୍ଵାସରେ ବଶବର୍ତ୍ତୀ ହୋଇ ସ୍ୱାସ୍ୟୁ ଚିକିତ୍ସା ଅଭାବରୁ ଜଡିବୁଟି, ଚେରମୂଳି, ଝାଡପୁଙ୍ଖ ଓ ଗୁଣିଗାରୁଡିକୁ ବିଶ୍ୱାସ କରି ଆସୁଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଦୁର୍ଗମ ଅଞ୍ଚଳରେ ସଚେତନତାର ଅଭାବ ରହିଛି। ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ବହୁଳ ଅଞ୍ଚଳ ପାଇଁ ପାଣି ଭଳି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ପ୍ରଶାସନର ଅବହେଳା ଓ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସ୍ଥାନୀୟ ବ୍ଳକର ସାଧାରଣ ଜନତା ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇ ପାରୁନାହାନ୍ତି। ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୯୩୨ ମସିହାରୁ ଯେଉଁ ପୁରୁଣା କେଠାରେ ରୋଗୀ ଚିକିତ୍ସା କରାଯାଉଥିଲା ଏବେ ବି ସେଠାରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ମୋହନା ନିର୍ବାଚନମଣ୍ଡଳିର ପୂର୍ବତନ ବିଧାୟକ ସୂର୍ୟ୍ୟନାରାୟଣ ପାତ୍ରଙ୍କ ଆନ୍ତରିକତା ଯୋଗୁଁ ୩୦ ଶର୍ୟ୍ୟା ବିଶିଷ୍ଟ ଦୁଇ ମହଲା କୋଠା ନିର୍ମାଣ କରାଯାଇଥିଲା। କିନ୍ତୁ ସେହି କୋଠା କାର୍ୟ୍ୟକାରୀ ନ ହୋଇ ପଡି ରହିଛି। ବର୍ତ୍ତମାନ ୩୦ ଶର୍ୟ୍ୟା ବଦଳରେ ମାତ୍ର ୧୦ଟି ଶର୍ୟ୍ୟା ବ୍ୟବହାର ହେଉଛି। ବାକି ଶର୍ୟ୍ୟା ଗଲା କୁଆଡ଼େ ? ଦିନକୁ ଦିନ ବ୍ଳକରେ ରୋଗୀ ସଂଖ୍ୟା ବଢୁଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର, ଫାର୍ମାଶିଷ୍ଟ , ରକ୍ତ ଓ ଅନ୍ୟାନ୍ୟ ନମୁନା ସଂଗ୍ରହ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ନର୍ସ ଆଦି କର୍ମଚାରୀଙ୍କ ଅଭାବ ରହିଛି। ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀମାନେ ରହୁଥିବା ଆବାସ ଗୁଡ଼ିକ ୪୦ ବର୍ଷ ତଳର ପୁରୁଣା ଟାଇଲ ଓ ଆଜବେଷ୍ଟ ଘର। ବର୍ଷାଦିନେ କିମ୍ବା ଅଦିନିଆ ବର୍ଷାରେ ଘର ଛାତରୁ ପାଣି ଗଳୁଛି। ଯାହାଫଳରେ କର୍ମଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦୁଇଟି ବୋର ୱେଲ୍ ଖୋଳାଯାଇଥିବା ବେଳେ ରାତି ଅଧିଆ ଲୁଚାଛପାରେ ପାଇପ କାଟି କିଛି କର୍ମଚାରୀ ପାଣି କନେକସନ ନେଇଛନ୍ତି। ଯାହାଫଳରେ କେନ୍ଦ୍ରରେ ରୋଗୀ ଓ କର୍ମଚାରୀମାନଙ୍କୁ ପାଣି ମିଳୁନି। ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକରେ ସାଇନବୋର୍ଡ ନାହିଁ। ବାହାରୁ ରୋଗୀଙ୍କୁ ନେଇ ଆସୁଥିବା ୧୦୮ ଚାଳକ ମେଡ଼ିକାଲ ଜାଣି ନ ପାରି ଆଗକୁ ଚାଲିଯାଆନ୍ତି। ଦୀର୍ଘଦିନ ହେଲା ସ୍ୱାସ୍ଥ୍ୟକେନ୍ଦ୍ରର ପାଚେରୀ ଭାଙ୍ଗି ପତି ରହିଛି। ପୂର୍ବତନ ଜିଲାପାଳ ଅନୁପମ ସାହା ପରିଦର୍ଶନରେ ଆସିଥିବାବେଳେ ସ୍ୱାସ୍ଥ୍ୟ କର୍ମଚାରୀମାନେ ମୌଳିକ ସମସ୍ୟା ନେଇ ଲିଖିତ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *