କଟକ : ଭାରତୀୟ ହକିରେ ସୃଷ୍ଟି ହୋଇଛି ନୂଆ ବିପ୍ଲବ। ଜାତୀୟ ହକିରେ ଓଡ଼ିଶା ଆଣିଛି ବିପ୍ଲବ। ଏ କଥା କେବଳ ହକି ଇଣ୍ଡିଆ କି ହକିପ୍ରେମୀ ଓ ଖେଳାଳିଙ୍କ ମୁହଁରୁ ଶୁଣିବାକୁ ମିଳୁନାହିଁ; ଭାରତୀୟ କ୍ରୀଡ଼ାରେ ଓଡ଼ିଶା ସରକାରଙ୍କ ହକି ପ୍ରତି ଉତ୍ସାହକୁ ନେଇ ଜୋରଦାର ଚର୍ଚ୍ଚା। ଓଡ଼ିଶା ଭଳି ଅନ୍ୟରାଜ୍ୟ ଏଭଳି ପନ୍ଥା ଆପଣାଇବାକୁ ମଧ୍ୟ ଦାବି ଆରମ୍ଭ ହୋଇଛି।
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକିର ସଫଳତା ପରେ ସମସ୍ତଙ୍କ ମୁହଁରେ ହକି ଚର୍ଚ୍ଚା। ପୂର୍ବରୁ ଭାରତ ଅଲିମ୍ପିକ୍ସରେ ୮ଟି ସ୍ବର୍ଣ୍ଣ , ଗୋଟିଏ ରୌପ୍ୟ ଓ ୨ଟି କାଂସ୍ୟ ଜିତିଥିଲେ ମଧ୍ୟ ସବୁ ସଫଳତାକୁ ଯେମିତି ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ପଛରେ ପକାଇ ଦେଉଥିବା ଭଳି ମନେ ହେଉଛି। ଟୋକିଓ ଅଲିମ୍ପିକ୍ସରେ ସଫଳତା ପରେ ଖେଳାଳିଙ୍କଠାରୁ ଆରମ୍ଭ କରି ସଂଗଠକ. ସଂଘ ଓ ସରକାରଙ୍କ ଉତ୍ସାହକୁ ଦେଖିଲେ ଯେପରି ହକି ପୁନର୍ଜନ୍ମ ପାଇବା ଭଳି ମନେ ହେଉଛି। କାରଣ ଭାରତୀୟ ହକି ଦଳ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ହାସଲ କରିବାରେ ସକ୍ଷମ ହୋଇଛି। କେବଳ ପୁରୁଷ ଦଳର ସଫଳତା ନୁହେଁ ମହିଳା ଦଳ ମଧ୍ୟ ତୃତୀୟ ଥର ପାଇଁ ଅଲିମ୍ପିକ୍ସରେ ଖେଳି ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଥିଲା। ପୁରୁଷ ଓ ମହିଳା ଦଳର ଏଭଳି ସଫଳତା ଦେଶବାସୀଙ୍କ ମୁହଁରେ ହସ ଫୁଟାଇଥିଲା। ହଜି ଯାଇଥିବା ହକି ପୁଣି ମୁଣ୍ଡ ଟେକିଛି। ଏକ ସମୟରେ ଭାରତୀୟ ହକିର ମୁଖ୍ୟ ପ୍ରାୟୋଜକରୁ ସାହାରା ଓହରି ଯିବାପରେ ଜାତୀୟ କ୍ରୀଡ଼ା ହକି ସଙ୍କଟରେ ପଡ଼ିଥିଲା । ଏଭଳି ସମୟରେ ସହଯୋଗର ହାତ ବଢାଇଥିଲା ଓଡ଼ିଶା ସରକାର। ୨୦୧୮ ନଭେମ୍ବରରେ ହକିର ହାତ ଧରିଥିଲେ ଓଡ଼ିଶା ସରକାର। ଭାରତୀୟ ପୁରୁଷ ଓ ମହିଳା ହକି ଦଳର ମୁଖ୍ୟ ପ୍ରାୟୋଜକ ଭାବେ ଓଡ଼ିଶା ସରକାର ୫ ବର୍ଷ ଲାଗି ହକି ଇଣ୍ଡିଆ ସହିତ ଚୁକ୍ତି କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଜାତୀୟ କ୍ରୀଡ଼ାରେ ବେଶ ଚର୍ଚ୍ଚା ହୋଇଥିଲା। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏକ କ୍ରୀଡ଼ାର ମୁଖ୍ୟ ପ୍ରାୟୋଜକ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ। ଓଡ଼ିଶା ସରକାର ଭାରତୀୟ ପୁରୁଷ ଓ ମହିଳା ଦଳର ମୁଖ୍ୟ ପ୍ରାୟୋଜକ ହେବା ପରେ ପ୍ରଥମ ଲକ୍ଷ୍ୟ ଥିଲା ୨୦୨୦ ଟୋକିଓ ଅଲିମ୍ପିକ୍ସ। ଓଡ଼ିଶା ସରକାର କେବଳ ଜାତୀୟ ହକି ଦଳର ପ୍ରାୟୋଜକ ହୋଇ କାମ ସାରି ଦେଇନଥିଲେ। ହକି ପାଇଁ ଭିତ୍ତିଭୂମି ସୃଷ୍ଟି ସହ ହକିର ପ୍ରସାର ନେଇ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋ ଜନ ନେଇ ମଧ୍ୟ ଆଗେଇ ଆସିଥିଲେ। କଳିଙ୍ଗ ଷ୍ଟାଡ଼ିୟମରେ ୨୦୧୮ ପୁରୁଷ ହକି ବିଶ୍ବକପ ଆୟୋଜନ କରିବା ସହ ଏହାକୁ ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟରେ ପରିଣତ କରି ଚର୍ଚ୍ଚିତ ହୋଇଥିଲେ ଓଡ଼ିଶା ସରକାର। ଏହାଛଡ଼ା ଏଫ୍ଆଇଏଚ୍ ହକି ସିରିଜ୍ ଫାଇନାଲ୍ସ, ଅଲିମ୍ପିକ୍ସ ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚ, ପ୍ରୋ-ଲିଗ୍ ହକି ଭଳି ପ୍ରତିଯୋଗିତା ମଧ୍ୟ ଆୟୋଜନ କରିବାରେ ଓଡ଼ିଶା ସଫଳ ହୋଇଥିଲା। ଭାରତକୁ କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରିବା ନେଇ ଅଧିକାର ପାଇବା ପରେ ଉକ୍ତ ପ୍ରତିଯୋଗିତାକୁ ଆୟୋଜନ ନେଇ ଓଡ଼ିଶା ସରକାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ବର ଓ ରାଉରକେଲାରେ ୨୦୨୩ ପୁରୁଷ ହକି ବିଶ୍ବକପ ଆୟୋଜିତ ହେବ। ଭୁବନେଶ୍ବରରେ ବିଶ୍ବସ୍ତରୀୟ ହକି ଷ୍ଟାଡ଼ିୟମ ରହିଥିବାବେଳେ ରାଉରକେଲାରେ ବିଶ୍ବସ୍ତରୀୟ ହକି ଷ୍ଟାଡ଼ିୟମ ନିର୍ମାଣ ଚାଲିଛି। ଓଡ଼ିଶା ସରକାରଙ୍କୁ ସବୁଠାରୁ ଖୁସି କରିଛି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ। ୪୧ ବର୍ଷ ପରେ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ପଦକ ଜିତିବା ପରେ ସବୁରିି ମୁଖରେ ଓଡ଼ିଶା ସରକାରଙ୍କୁ ପ୍ରଶଂସା ଶୁଣିବାକୁ ମିଳିଛି। ମହିଳା ଦଳ ମଧ୍ୟ ସେମିଫାଇନାଲରେ ପହଞ୍ଚି ଇତିହାସ ରଚିବା ଓଡ଼ିଶା ପାଇଁ ଆଉ ଏକ ସଫଳତା ଥିଲା। ପଦକ ବିଜୟୀ ପୁରୁଷ ଦଳ ସମେତ ମହିଳା ଦଳକୁ ଓଡ଼ିଶା ସରକାରଙ୍କ ଭବ୍ୟ ସମ୍ବର୍ଦ୍ଧନା ଓ ଆର୍ଥିକ ପୁରସ୍କାର ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି। ପୁରୁଷ ଓ ମହିଳା ଦଳର ଖେଳାଳିଙ୍କ ସମେତ ହକି ଇଣ୍ଡିଆ ମୁହଁରେ ଗୋଟିଏ କଥା ଶୁଣିବାକୁ ମିଳିଛି। ଓଡ଼ିଶା ହକିର ଘର ଆଉ ଓଡ଼ିଶାବାସୀ ଆମ ପରିବାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖେଳାଳି ଓ ହକି ଇଣ୍ଡିଆ କର୍ମକର୍ତ୍ତା ପ୍ରଶଂସାରେ ପୋତି ପକାଇଛନ୍ତି। ପଦକ ଦେଶ ପାଇଁ ନବୀନଙ୍କ ବଡ ଉପହାର ବୋଲି ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ମଧ୍ୟ ପ୍ରଶଂସା କରି କହିଥିଲେ। ହକି ପ୍ରତି ଏଭଳି ଭଲ ପାଇବା ଓ ପ୍ରୋତ୍ସାହନ ଭିର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ୧୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ଜାତୀୟ ହକିର ପ୍ରାୟୋଜକ ରହିବା ନେଇ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ଓଡ଼ିଶା ସରକାର ପ୍ରାୟୋଜକ ରହିଥିବାବେଳେ ପୁନର୍ବାର ୧୦ ବର୍ଷ ପରେ ୨୦୩୩ ପର୍ଯ୍ୟନ୍ତ ଓଡ଼ିଶା ସରକାର ହକିର ପ୍ରାୟୋଜକ ରହିବେ। ଏହାରି ଭିତରେ ୨୦୨୩ ବିଶ୍ବକପ ସମେତ ୨୦୨୪ , ୨୦୨୮ ଓ ୨୦୩୨ ଅଲିମ୍ପିକ୍ସ ମଧ୍ୟ ଭାରତୀୟ ହକି ପାଇଁ ବଡ ସୁଯୋଗ ରହିବ। ୨୦୩୩ ପର୍ଯ୍ୟନ୍ତ ଓଡ଼ିଶା ସରକାର ଜାତୀୟ ହକିର ପ୍ରାୟୋଜକ ରହିବା ନେଇ ଘୋଷଣା ଦ୍ବାରା ଶ୍ରୀ ପଟ୍ଟନାୟକ ଓ ଓଡ଼ିଶା ସରକାରଙ୍କୁ ହକିପ୍ରେମୀ ,ସଂଗଠକ ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ଭାରତୀୟ ଅଲିମ୍ପିକ୍ସ ସଂଘ ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଓ ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଜାତୀୟ କ୍ରୀଡ଼ା ହକି ତାର ସ୍ବର୍ଣ୍ଣିମ ଦିନକୁ ଫେରିବ ବୋଲି ଆଲୋଚନା ଆରମ୍ଭ ହୋଇଛି।
