ଝାରସୁଗୁଡ଼ା : ଆପଣମାନେ ବି ଠକାମୀର ଶିକାର ହୋଇ ପାରନ୍ତି । ହୁସିଆର ରୁହନ୍ତୁ ଆପଣଙ୍କ ଘରେ ପହଞ୍ଚିଯାଇ ପାରେ ପାଣି ଭର୍ତ୍ତି ଗ୍ୟାସ ସିଲିଣ୍ଡର । ଏଥିପାଇଁ ଆପଣ ଅଜାଣତରେ ଦୁର୍ଘଟଣାର ଶିକାର ହୋଇପାରନ୍ତି । ଏହିଭଳି ଗ୍ୟାସ ସିଲିଣ୍ଡରରେ ପାଣି ଭର୍ତ୍ତି କରୁଥିବା ଏକ ଗ୍ୟାଙ୍ଗକୁ ଝାରସୁଗୁଡା ପୋଲିସ ଠାବ କରିବା ପରେ ଜଣାପଡିଛି ଗୁମର । ଝାରସୁଗୁଡାରେ ଥିବା ଆଇଓସିଏଲ ଗ୍ୟାସ ବଟଲିଂ ପ୍ଲାଣ୍ଟରୁ ଏଲପିଜି ଗ୍ୟାସ ଭର୍ତ୍ତି ଟ୍ରକ ଅନ୍ୟ ସ୍ଥାନକୁ ଯାଉଥିବା ବେଳେ ଟ୍ରକ ଡ୍ରାଇଭରର ମିଳିତ ସହଯୋଗରେ ଝାରସୁଗୁଡାର କିଛି ଯୁବକ ଗାଡିରୁ ଗ୍ୟାସ ଭର୍ତ୍ତି ଟାଙ୍କି ଓହ୍ଲାଇ ତା ବଦଳରେ ପାଣି ଭର୍ତ୍ତି ସିଲିଣ୍ଡର ଚଢାଇଥାନ୍ତି । ଦୁଇଦିନ ତଳେ ୩୨୪ ସିଲିଣ୍ଡର ନେଇ ଅତାବିରା ଯାଉଥିବା ବେଳେ ବାଟରେ ଗାଡି ଅଟକାଇ ସେଥିରୁ ୨ଟି ସିଲିଣ୍ଡର ଓହ୍ଲାଇ ଅନ୍ୟ ଏକ ମାରୁତି ଭ୍ୟାନରେ ଥିବା ପାଣି ଭର୍ତ୍ତି ସିଲିଣ୍ଡର ଚଢାଇଥିଲେ । ଏହି ସମୟରେ ଝାରସୁଗୁଡା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଗାଡିକୁ ଅଟକାଇ ଏହି ରାକେଟରେ ସାମିଲ ବେହେରାମାଲ ଅଞ୍ଚଳର ମାନସ ରଞ୍ଜନ ପାତ୍ର ସହ ଟ୍ରକ ଡ୍ରାଇଭର ଭୁବନେଶ୍ୱର ଯାଦବ ଓ ଅନ୍ୟ ଜଣେ ଅବିନାଶ ଯାଦବକୁ ଗିରଫ କରି ସେମାନଙ୍କ ନିକଟରୁ ଏଲପିଜି ଗ୍ୟାସ ନକଲି କରିବାକୁ ବ୍ୟବହାର କାରଯାଉଥିବା ମାରୁତି ଭ୍ୟାନ୍ ସହ ୧୦ଟି ସିଲିଣ୍ଡର ଜବତ କରିଥିଲା । ତେବେ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।
