ଆସାମ ଓ ମିଜୋରାମ ସୀମାନ୍ତରେ ପୁଣି ଗୁଳି ଫୁଟିଛି

ଦିଶପୁର / ଆଇଜଲ: ଆସାମ ଓ ମିଜୋରାମ ସୀମାନ୍ତରେ ପୁଣି ଗୁଳି ଫୁଟିଛି। ଏଥିସହିତ ଦୁଇ ରାଜ୍ୟରେ ଥମି ଆସୁଥିବା ଉତ୍ତେଜନା ପୁନଶ୍ଚ ବୃଦ୍ଧିପାଇଛି। ମିଜୋରାମ ଅଭିଯୋଗ କରିଛି ଯେ ଆସାମ ପୁଲିସ କର୍ମଚାରୀମାନେ ମିଜୋରାମ ସାଧାରଣ ନାଗରିକଙ୍କ ଉପରେ ଗୁଳି ଚଳାଇଛନ୍ତି ଏବଂ ଏଥିରେ ଜଣେ ଲୋକ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଆସାମ ପକ୍ଷରୁ ଦାବି କରାଯାଇଛି ଯେ ମିଜୋରାମ ପଟୁ ଦୁର୍ବୃତ୍ତମାନେ ଗୁଳି ଚଳାଇବାରୁ ଆସାମ ପୁଲିସ କେବଳ ତାହାର ପାଲଟା ଜବାବ ଦେଇଛି।

ସୂଚନାଯୋଗ୍ୟ ଯେ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ଲାଗି ରହିଛି। ଗତ ଜୁଲାଇ ୨୬ ତାରିଖରେ ଦୁଇ ରାଜ୍ୟ ସୀମାରେ ରକ୍ତାକ୍ତ ସଂଘର୍ଷ ଓ ଗୁଳିଚାଳନା ଘଟଣାରେ ଆସାମ ପୁଲିସର ୬ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା। ସେହି ଘଟଣାରେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହାପରେ ପରିସ୍ଥିତି ଶାନ୍ତ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ମଙ୍ଗଳବାର ଦିନ ଦୁଇ ରାଜ୍ୟ ସୀମାରେ ପୁଣି ଗୁଳି ଫୁଟିବା ପରେ ଉତ୍ତେଜନା ବୃଦ୍ଧିପାଇଛି। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ଣ ପ୍ରାୟ ୨ଟାରେ ଆସାମର ହାଇଲାଖଣ୍ଡି ଜିଲା ଏବଂ ମିଜୋରାମ କୋଲାସିବ ଜିଲା ସୀମାନ୍ତରେ ଏହି ଘଟଣା ଘଟିଛି। ମିଜୋରାମର ଏତଲାଙ୍ଗ ଅଞ୍ଚଳର ବାସିନ୍ଦା ଭେରଙ୍ଗଟେ ନାମକ ଜଣେ ବ୍ୟକ୍ତି ଆସାମର ବିଲାଇପୁରରେ ରହୁଥିବା ତାଙ୍କର ଜଣେ ସାଙ୍ଗଙ୍କ ଘରକୁ ମାଂସ ଆଣିବାକୁ ଯାଉଥିଲେ। ଆନ୍ତଃରାଜ୍ୟ ସୀମାନ୍ତରେ ଆସାମ ପୁଲିସ ତାଙ୍କୁ ଅଟକାଇବା ସହିତ ଗୁଳି ଚଳାଇବାରୁ ଜଣେ ବ୍ୟକ୍ତି ଆହତ ହୋଇଥିବା ମିଜୋରାମ ଅଭିଯୋଗ କରିଛି। ଅନ୍ୟପକ୍ଷରେ ଆସାମର ଜଣେ ଅଧିକାରୀ କହିଛନ୍ତି, ମିଜୋରାମର ଦାରାସିଂ ପର୍ବତ ଉପରୁ ଦୁର୍ବୃତ୍ତମାନେ ବିଲାଇପୁରରେ ସଡକ କାମ କରୁଥିବା ଆସାମ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ଆସାମର ପୁଲିସ କର୍ମଚାରୀ କେଇ ରାଉଣ୍ଡ ଗୁଳି ଚଳାଇଥିଲେ।

Leave a Reply

Your email address will not be published. Required fields are marked *