ଖଟିଆରେ ବୁହାହେଲେ ଗର୍ଭବତୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ପୁଣି ଥରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଯୋଗୁଁ ଖଟିଆରେ ବୁହାହୋଇଛନ୍ତି ଗର୍ଭବତୀ । ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ନୂଆପଡା ଗ୍ରାମର ମଞ୍ଜିତ ମାଝୀଙ୍କ ସ୍ତ୍ରୀ ସୂର୍ଯ୍ୟ ମାଝୀଙ୍କର ଗତ କଲିରାତି ୧୦ଟା ସମୟରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଯନ୍ତ୍ରଣା ହେବାରୁ ଗ୍ରାମବାସୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ ରାସ୍ତା ଖରାପ ଯୋଗୁଁ ଗାଁକୁ ପହଞ୍ଚି ନପାରି ପ୍ରାୟ ଦେଢ଼ କିଲୋମିଟର ଦୂର ବରପାଣି ଗ୍ରାମ ନିକଟରେ ଅଟକି ରହିଥିଲା । ପରେ ଗ୍ରାମବାସୀ ଖଟିଆ ସାହାଯ୍ୟରେ ପ୍ରାୟ ଦେଢ଼ କିଲୋମିଟର ଖାଲ ଢିପ ରାସ୍ତାରେ ଦୀର୍ଘ ୨ ଘଣ୍ଟା ଧରି ଖଟିଆରେ ତାଙ୍କୁ ଧରି ବହୁ କଷ୍ଟରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ଗର୍ଭବତୀ ଜଣକ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶିଶୁ ସନ୍ତାନ ଜନ୍ମ ଦେଇଥିଲେ । ଜନ୍ମିତ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ତାଙ୍କୁ ଉମରକୋଟ ଡାକ୍ତରଖାନାକୁ ରେଫର କରାଯାଇଥିବା ବେଳେ ସ୍ୱତନ୍ତ୍ର ଶିଶୁ ପ୍ରଯତ୍ନ ବିଭାଗରେ ରଖିଥିବାର ସୂଚନା ମିଳିଛି । ତେବେ ଗ୍ରାମରେ ପୂର୍ବରୁ ମଧ୍ୟ ରାସ୍ତା ଖରାପ ଯୋଗୁଁ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି ଗ୍ରାମବାସୀ । ବାରମ୍ବାର ଏହିପରି ଘଟଣା ଘଟୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *