ରେଫ୍ରିଜେରେଟର ଭିତରୁ ମିଳିଲା ୯୬ ଲକ୍ଷ ଟଙ୍କା

ଜେଜୁ ଦ୍ୱୀପ (ଉତ୍ତର କୋରିଆ): ଉତ୍ତର କୋରିଆର ଜଣେ ବ୍ୟକ୍ତି ଅନ୍‍ ଲାଇନରେ ଏକ ରେଫ୍ରିଜେରେଟର ପସନ୍ଦ କରିବା ପରେ ତାହା କିଣିବାକୁ ବରାଦ ଦେଇଥିଲେ। ରେଫ୍ରିଜେରେଟର ତାଙ୍କ ଘରେ ଆସି ପହଞ୍ଚିଲା। ତେବେ ତାହାକୁ ଖୋଲିି ଦେଖିବାପରେ ତାହା ଭିତରେ ଯାହା ଥିଲା ତାକୁ ଦେଖି ବ୍ୟକ୍ତିଜଣକ ଆଶ୍ଚର୍ଯ୍ୟ ଓ ବିଚଳିତ ହୋଇପଡିଥିଲେ। ଘଟଣା ଘଟିଛି ଉତ୍ତର କୋରିଆର ଜେଜୁ ଦ୍ୱୀପରେ।

ପ୍ରାପ୍ତ ରିପୋର୍ଟ ଅନୁଯାୟୀ ଜେଜୁ ଦ୍ୱୀପର ଏହି ବାସିନ୍ଦା ଜଣକ ଅନ୍‍ ଲାଇନରେ ରେଫ୍ରିଜେରେଟର ମଗାଇଥିଲେ। ଚଳିତ ମାସ ପ୍ରଥମ ଭାଗରେ ଇକମର୍ସ କମ୍ପାନୀର କର୍ମଚାରୀ ତାଙ୍କ ଘରେ ରେଫ୍ରିଜେରେଟର ଆଣି ପହଞ୍ଚାଇଲେ। ବ୍ୟକ୍ତିଜଣକ ରେଫ୍ରିଜେରେଟରକୁ ସଫା କରିବାକୁ ଖୋଲିବା ସମୟରେ ତାହାର ତଳ ଥାକରେ ବିପୁଳ ପରିମାଣରେ ନୋଟ ରଖାଯାଇଥିବା ଦେଖିବାକୁ ପାଇଲେ। ସେ ନୋଟତକ ଗଣିବା ପରେ ତାହା ୧,୩୦,୦୦ ଡଲାର (୯୬ ଲକ୍ଷ ଟଙ୍କା) ଥିବା ଜଣାପଡିଲା। ତେବେ ଏଥିରେ ବ୍ୟକ୍ତିଜଣକ ଖୁସି ହେବା ପରିବର୍ତ୍ତେ ବିଚଳିତ ହୋଇପଡିଲେ। ତୁରନ୍ତ ସେ ଏ ସମ୍ପର୍କରେ ପୁଲିସକୁ ଜଣାଇଲେ। ପୁଲିସ ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିବା ସହିତ ଉକ୍ତ ରେଫ୍ରିଜେରେଟର ବିକ୍ରି କରିଥିବା କମ୍ପାନୀକୁ ଖୋଜିବା ଆରମ୍ଭ କଲେ। ସେତେବେଳକୁ ପୁଲିସ ଉକ୍ତ ବ୍ୟକ୍ତିଙ୍କ ଘରୁ ନୋଟତକ ଜବତ କରି ନେଇଆସିଥିଲେ।

ଏହାର ତଦନ୍ତ କରୁଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଉକ୍ତ ନୋଟର ମାଲିକ ଯଦି ଠାବ ହୋଇନପାରନ୍ତି, ତେବେ ଉତ୍ତର କୋରିଆ ଆଇନ ଅନୁଯାୟୀ ରେଫ୍ରିଜେରେଟର କିଣିଥିବା ବ୍ୟକ୍ତି ଉକ୍ତ ନୋଟର ମାଲିକ ହେବେ। ୨୨% ଟିକସ କାଟି ରଖାଯିବା ପରେ ନୋଟତକ ତାଙ୍କୁ ଫେରାଇ ଦିଆଯିବ। ଯଦି ନୋଟର ମାଲିକ ମିଳିଗଲେ ତେବେ ମଧ୍ୟ ରେଫ୍ରିଜେରେଟର କିଣିଥିବା ବ୍ୟକ୍ତିଙ୍‍କୁ ପୁରସ୍କାର ଆକାରରେ କିଛି ଅର୍ଥ ପ୍ରଦାନ କରାଯିବ। ଯଦି ଉକ୍ତ ଅର୍ଥ ସହିତ କିଛି ଅପରାଧିକ କାରବାର ସଂପୃକ୍ତ ଥାଏ ତେବେ କେହି ଉକ୍ତ ଅର୍ଥ ପାଇବେ ନାହିଁ। ୨୦୧୬ରେ କୋରିଆ ଟାଇମ୍ସରେ ଏକ ମଜାଦାର ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ କୁହାଯାଇଥିଲା ଯେ ଦେଶରେ ବ୍ୟାଙ୍କଗୁଡିକ କମ୍‍ ସୁଧ ଦେଉଥିବାରୁ ଲୋକମାନେ ନିଜ ଘରେ ଥିବା ରେଫ୍ରିଜେରେଟର ତଳ ଥାକରେ ଅର୍ଥ ଲୁଚାଇ ରଖୁଛନ୍ତ୍ରି।

Leave a Reply

Your email address will not be published. Required fields are marked *