ଭାଜପା ନେତାଙ୍କ ଘର ଉପରେ ଗ୍ରେନେଡ ଆକ୍ରମଣ

ଶ୍ରୀନଗର: ଜମ୍ମୁ କାଶ୍ମୀରର ରାଜୌରୀରେ ଜଣେ ଭାଜପା ନେତାଙ୍କ ଘର ଉପରେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଚାରିବର୍ଷ ବୟସ୍କ ଶିଶୁର ମୃତ୍ୟୁ ଘଟିବା ସହିତ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ଲସ୍କର ଇ ତଇବାର ଏକ ଆତଙ୍କି ଗୋଷ୍ଠୀ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପାଫ୍‍) ନିଜକୁ ଦାୟୀ କରିଛି। ଏଥିସହିତ ପାଫ୍‍ ପକ୍ଷରୁ ଏକ ବିବୃତିରେ ଧମକ ଦିଆଯାଇଛି ଯେ ଏହାର ଆତଙ୍କିମାନେ ଯେକୌଣସି ସମୟରେ ଆକ୍ରମଣ କରିପାରନ୍ତି। ଏହି ଘଟଣାରେ ପୁଲିସ ଏକ ଏତଲା ଦାଏର କରିବା ସହିତ ତଦନ୍ତ ଆରମ୍ଭ କରିଛି।

ଗୁରୁବାର ରାତିରେ ଏହି ଘଟଣା ଘଟିଛି। ଭାଜପା ନେତା ଯଶବୀର ସିଂଙ୍କର ଖାଣ୍ଡଲିସ୍ଥିତ ବାସଭବନ ଉପରକୁ ଆତଙ୍କିମାନେ ଗ୍ରେନେଡ ଆକ୍ରମଣ କରିବା ଫଳରେ ତାଙ୍କ ପରିବାରର ସାତଜଣ ଆହତ ହୋଇଥିଲେ। ପରେ ୪ ବର୍ଷ ବୟସ୍କ ଶିଶୁର ମୃତ୍ୟୁ ଘଟିଥିଲା। ଏଭଳି ଆକ୍ରମଣ ଭୀରୁତାର ପରିଚୟ ଦେଉଛି ବୋଲି ଜମ୍ମୁ କାଶ୍ମୀର ଭାଜପା ମୁଖ୍ୟ ରବିନ୍ଦର ରାଇନା କହିଛନ୍ତି। ସେ କହିଛନ୍ତି ପାକିସ୍ତାନ ପ୍ରରୋଚନାରେ ଭାଜପା ନେତାଙ୍କ ଘର ଉପରେ ଏଭଳି ଆକ୍ରମଣ କରାଯାଉଛି। ଏଥିସହିତ ସେ ଏହି ଘଟଣାର ଦୃଢ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ ଯେ ଅଳ୍ପ କିଛିଦିନ ତଳେ କାଶ୍ମୀର ଅନନ୍ତନାଗ ଜିଲାରେ ଭାଜପାର ଜଣେ ସରପଞ୍ଚ ଏବଂ ତାଙ୍କ ପତ୍ନୀଙ୍କୁ ଆତଙ୍କିମାନେ ଗୁଳି କରି ହତ୍ୟା କରିଥିଲେ। ଭାଜପା ନେତାଙ୍କ ଘର ଉପରେ ଆକ୍ରମଣକୁ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଦୃଢ ନିନ୍ଦା କରିଛନ୍ତି। ଏହା ପଛରେ ଥିବା ଆତଙ୍କିଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ କହିବା ସହିତ ଉକ୍ତ ପରିବାରକୁ ସାନ୍ତ୍ୱନା ଜଣାଯାଇଛନ୍ତି।

Leave a Reply

Your email address will not be published. Required fields are marked *