ମୁମ୍ବଇ: ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏକ ଦୁର୍ଘଟଣାରେ ଆହତ ହେବା କାରଣରୁ ତାଙ୍କୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଅଭିନେତା ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।
ମଙ୍ଗଳବାର ସେ ଟ୍ବିଟ୍ କରି କହିଛନ୍ତି ଯେ, ଏକ ଛୋଟ ଦୁର୍ଘଟଣାରେ ତାଙ୍କର ଶରୀରର ହାଡ଼ ଭାଙ୍ଗିଯାଇଛି। ସର୍ଜରୀ ପାଇଁ ତାଙ୍କ ବନ୍ଧୁ ଡା. ଗୁରୁଭା ରେଡ୍ଡୀଙ୍କ ସହ ସେ ହାଇଦ୍ରାବାଦ ଯାଉଛନ୍ତି। ତେବେ ଚିନ୍ତା କରିବାର କିଛି ନାହିଁ ସେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି କହିଛନ୍ତି। ପ୍ରକାଶ ରାଜ ଆହତ ହେବା ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
