ଚାଷୀଟିଏ କେବେ ହାରେ ନାହିଁ। ଅଧିକ କଠିନ ଓ ଜଟିଳ ପରିସ୍ଥିତିକୁ ସାମ୍ନା କରେ। ସମସ୍ୟା ଭିତରେ ସମାଧାନର ବାଟ ଖୋଜେ। ସଂପ୍ରତି ସାମାଜିକ ଗଣମାଧ୍ୟମରେ ଏବେ ବିହାରର ଆଉ ଜଣେ ‘ମାନ୍ଜୀ’ଙ୍କୁ ନେଇ ଏବେ ଭରପୂର ଚର୍ଚ୍ଚା। ଗୟା ଜିଲା ଲାଥୁଆ ଅନ୍ତର୍ଗତ କୋଥିଲାୱା ଗ୍ରାମର ଏହି ବୟସ୍କ ଚାଷୀ ଲାଉଙ୍ଗି ଭୂୟାଁ ଦୀର୍ଘ ୩୦ ବର୍ଷ କାଳ କଠିନ ପରିଶ୍ରମ କରି ଏକାକୀ ୩ କିଲୋମିଟର ବ୍ୟାପୀ ଏକ ପାହାଡ଼ କାଟି କେନାଲ ଖୋଳି ନିଜ ଅଞ୍ଚଳକୁ ଝରଣା ପାଣି ଆଣିବାରେ ସଫଳ ହୋଇଥିବା ଖବର ପ୍ରକାଶ ପରେ ସଂପୃକ୍ତ ଚାଷୀଙ୍କୁ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ବିଟ୍ କରି ଶୁଭେଚ୍ଛା ଜଣାଇବା ସହିତ ଏକ ଟ୍ରାକ୍ଟର ଉପହାର ଦେବା ଲାଗି ପ୍ରସ୍ତାବ ଦେଇଛନ୍ତି। ଉକ୍ତ ଚାଷୀଙ୍କ ସାକ୍ଷାତକାରରୁ ସେ ଜାଣିବାକୁ ପାଇଛନ୍ତି ଯେ, ଚାଷୀ ଲାଉଙ୍ଗିଙ୍କର ଏକ ଟ୍ରାକ୍ଟର ଲୋଡ଼ା। ଏଥିପାଇଁ ଲାଉଙ୍ଗିଙ୍କୁ ନିଜ କମ୍ପାନୀର ଟ୍ରାକ୍ଟରଟିଏ ଉପହାର ଦେବା ଲାଗି ପ୍ରଥମେ ଅନୁମତି ଲୋଡିଛନ୍ତି ଆନନ୍ଦ ମହିନ୍ଦ୍ରା। ଲାଉଙ୍ଗିଙ୍କ ଭଳି ପରିଶ୍ରମୀ କୃଷକଙ୍କ ଏହି କାର୍ଯ୍ୟ କୌଣସି ତାଜ୍ମହଲ କିମ୍ବା ପିରାମିଡ୍ ନିର୍ମାଣଠାରୁ କମ୍ ନୁହେଁ। ଯଦି ତାଙ୍କଠାରୁ ଟ୍ରାକ୍ଟର ଉପହାର ଲାଉଙ୍ଗି ଗ୍ରହଣ କରନ୍ତି, ତେବେ ସେ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ ବୋଲି ଶ୍ରୀ ମହିନ୍ଦ୍ରା କହିଛନ୍ତି। ସୂଚନାଯୋଗ୍ୟ, ଲାଉଙ୍ଗିଙ୍କ କେନାଲ ଖୋଳିବା ଅଭିଯାନ ସଂପର୍କରେ ସାମାଜିକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ବହୁ ଟିଭି ଚ୍ୟାନେଲ ତାଙ୍କ ସାକ୍ଷାତକାର ନେଇଥିଲେ ସେଥିରେ ସେ କହିଥିଲେ ତାଙ୍କର ଆଉ କିଛି ଲୋଡ଼ା ନାହିଁ, କେମିତି ଗୋଟିଏ ଟ୍ରାକ୍ଟର କିଣିପାରିଲେ ଚାଷଜମିରୁ ଭଲ ଅମଳ କରିପାରିବେ। ଲାଉଙ୍ଗିଙ୍କ ଏଭଳି କଥା ଶୁଣିବା ପରେ ଶ୍ରୀ ମହିନ୍ଦ୍ରା ତାଙ୍କୁ ଟ୍ରାକ୍ଟରଟିଏ ଉପହାର ଦେଇଛନ୍ତି। ଲାଉଙ୍ଗିଙ୍କ କେନାଲ ଦ୍ବାରା ଏବେ ପାହାଡ଼ି ଝରଣା ଓ ବର୍ଷାଜଳ ସିଧାସଳଖ ଉକ୍ତ ପଞ୍ଚାୟତର ବହୁ ଜମିକୁ ଜଳସେଚିତ କରିପାରିଛି। ସରକାରୀ ସହାୟତା, ଗୋଷ୍ଠୀ ସାହାଯ୍ୟ ବିନା ଏକାକୀ ଲାଉଙ୍ଗିଙ୍କ ଏହି କାର୍ଯ୍ୟ ତାଜ୍ ମହଲ ନିର୍ମାଣ ଭଳି କାର୍ଯ୍ୟଠାରୁ ବି କିଛି କମ୍ ନୁହେଁ ବୋଲି ଟ୍ବିଟ୍ରେ ଛାଇ ହୋଇଯାଇଛି
