ବିକଳାଙ୍ଗଙ୍କୁ ମିଳୁନାହିଁ ଘର : ଆବାସ ଯୋଜନା କାହାପାଇଁ?

ଜଳେଶ୍ୱର (ମଞ୍ଜୁଲତା ଲେଙ୍କା) : ଗରିବ ଲୋକମାନଙ୍କୁ ଖରା, ବର୍ଷାରୁ ରକ୍ଷା କରିବା ପାଇଁ ସରକାର ଘର ଖଣ୍ଡିଏ ଯୋଗାଇ ଦେବା ଲକ୍ଷରେ ଆବାସ ଯୋଜନା ପ୍ରଚଳନ କରିଛନ୍ତି । ବହୁ କ୍ଷେତ୍ରରେ ଦେଖିବାକୁ ମିଳୁଛିଯେ, ବହୁ ଗରିବ ଲୋକମାନେ ଘର ଖଣ୍ଡିଏ ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ସେମାନଙ୍କୁ ତାହା ସାତ ସପନ । ସେହି ପରେ ଜଣେ ଯୋଗ୍ୟ ହିତାଧିକାରୀ ହେଲେ ଜଳେଶ୍ୱର ବ୍ଲକର ଦକ୍ଷିଣପ୍ରହରାଜପୁର ଗ୍ରାମର କାଳିଚରଣ ବେହେରା । କାଳିଚରଣ ବେହେରା କେବଳ ଗରିବ ନୁହଁନ୍ତି, ବିକଳାଙ୍ଗ ମଧ୍ୟ । ରିକ୍ସା ଟାଣି ପରିବାର ପ୍ରତିପୋଷଣ କରୁଥିବା କାଳିଚରଣ ୨୦୧୭ରେ ଏକ ଦୁର୍ଘଟଣାରେ ବାମ ଗୋଡ଼ ହରାଇଥିଲେ । ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ତାଙ୍କର ପରିବାରରେ ଗୋଟିଏ ଓଳି ଚୁଲି ଲାଗିଲେ ଆଉଗୋଟିଏ ଓଳି ଉପବାସ । ଏପରି ସ୍ଥଳେ ଘର କରିବା କଥା ପଚାରେ କିଏ? ବାପ, ଅଜା ଅମଳର ଜରାଜୀର୍ଣ୍ଣ ଚାଳ ଘରଟିରେ ଦିନରେ ସୂର୍ଯ୍ୟ, ରାତିରେ ଚନ୍ଦ୍ର ଦେଖାଯାଏ । ମୁଣ୍ଡ ଖଣ୍ଡିକ ଗୁଞ୍ଜିବା ପାଇଁ ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଜଳେଶ୍ୱର ବିଡିଓଙ୍କ ନିକଟକୁ ଦୌଡ଼ିଦୈାଡ଼ି ନିରାଶ ହେବା ପରେ ବ୍ଲକରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଗୁହାରୀ କରିଥିଲେ । କାଳିଚରଣଙ୍କୁ ସରକାରୀ ଯୋଜନାରେ ଘର ଯୋଗାଇ ଦେବାକୁ ଜିଲ୍ଲାପାଳ, ଜଳେଶ୍ୱର ବିଡିଓଙ୍କୁ ନିର୍ଦ୍ଦେଶ ଦେବାର ବର୍ଷେ ବିତି ଗଲାଣି, ହେଲେ କାଳି ଚରଣଙ୍କୁ ,ପର୍ଯ୍ୟନ୍ତ ଘର ମିଳିଲା ନାହିଁ । ଏବେ ଲଘୁଚାପ ବର୍ଷାରେ କାଳିଚରଣଙ୍କ ଘର ଭିତର ପାଣି କାଦୁଅରେ ସରସର । ଘର ଓ ବାହାର ସମାନ । ବିଡିଓ ଦିପ୍ତୀ ରଞ୍ଜନ ସେଠୀଙ୍କୁ କାଳି ଚରଣ ନିଜର ସମସ୍ୟାସମ୍ପର୍କରେ ଜଣାଇବାରୁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବା ବେଳେ ଏହି ଘଟଣାରେ ସ୍ଥାନୀୟ ସରପଂଚ ସତ୍ୟରଞ୍ଜନ ଦାସ କହିଛନ୍ତିଯେ, ପୁରୁଣା ଏସିଇସି ତାଳିକାରେ କାଳିଚରଣର ନାମ ନଥିଲା, କିନ୍ତୁ ନୂଆ ତାଲିକାରେ ନାମ ରହିଛି । ତାଙ୍କୁ ଖୁବ୍ ଶିଘ୍ର ଘର ଯୋଗାଇ ଦେବାକୁ ସେ ପଦକ୍ଷେପ ନେବେ ।

ଅପରପକ୍ଷରେ, ପ୍ରଶ୍ନ ଉଠୁଛିଯେ, କାଳି ଚରଣଭଳି ବ୍ୟକ୍ତି, ଯେଉଁମାନଙ୍କ ପାଇଁ ଘରର ଆବଶ୍ୟକତା ଜରୁରୀ, ସେମାନେ ଘର ପାଉନଥିବା ବେଳେ ଆବାସ ଯୋଜନାରେ ଘର ପାଉଛି କିଏ (?) ଏବଂ ପ୍ରକୃତରେ ଏହି ଯୋଜନା କାହାପାଇଁ?

Leave a Reply

Your email address will not be published. Required fields are marked *