କାହାପାଇଁ ସରକାରୀ ଯୋଜନା, ଔଷଧ ନପାଇ ମୃତ୍ୟୁ ସହ ସଙ୍ଗ୍ରାମ କରୁଛନ୍ତି ସରସ୍ବତୀ

ଜଳେଶ୍ୱର : ( ସଂଜୟ ଦାସ ) ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଜଣେ ୭୦ ବର୍ଷିଆ ବିଧବା ମହିଳା ଆର୍ଥିକ ଅନାଟନ ଯୋଗୁଁ ଔଷଧ ନପାଇ ମୃତ୍ୟୁ ସହ ସଙ୍ଗ୍ରାମ କରୁଛନ୍ତି। ଭତ୍ତା ପାଇବା ପାଇଁ ଗତ ତିନି ବର୍ଷ ଧରି ପଞ୍ଚାୟତ ଠାରୁ ବ୍ଲକ ଯାଏ ସବୁଠି ଆବେଦନ ପତ୍ର ଦାଖଲ କରିଥିଲେ ମଧ୍ୟ ତାଙ୍କୁ ଭତ୍ତା ନ ମିଳିବା ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନା ପ୍ରତି ବଡ଼ ଉପହାସ ସାଜିଛି । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କୁମ୍ଭାରମୂଳି ପଞ୍ଚାୟତ ହାଣ୍ଡିପଡା ଗାଁର ବିଧବା ସରସ୍ୱତୀ ବେହେରା । ଦେଢ଼ ବର୍ଷ ତଳେ ସ୍ତ୍ରୀକୁ ଛାଡି ସ୍ୱାମୀ ଗଦାଧର ଆରପାରିକୁ ଚାଲିଗଲେ । ସରସ୍ବତୀଙ୍କ ବଡପୁଅ ଜ୍ଞାନେନ୍ଦ୍ର ଜଣେ ଦୀନ ମଜୁରିଆ। ସାନପୁଅ ଧୀରେନ୍ଦ୍ର ମୁମ୍ବାଇରେ ଦାଦନ ଶ୍ରମିକ ଭାବେ କାମ କରେ। ଆର୍ଥିକ ଭାବେ ଅତ୍ୟନ୍ତ ଅନଗ୍ରସର ସରସ୍ବତୀ ସ୍ବାମୀଙ୍କ ମୃତ୍ୟୁ ପରେ ନିଃସଙ୍ଗ ଜୀବନ ବିତାଉଥିବା ବେଳେ ବାର୍ଦ୍ଧକ୍ୟ ଜନିତ ବିଭିନ୍ନ ରୋଗ ପାଇଁ ସେ କଷ୍ଟ ପାଉଛନ୍ତି । ହେଲେ ରୋଗ କଷ୍ଟରୁ ମୁକ୍ତି ପାଇବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ ।ରୋଗ ପାଇଁ ଡାକ୍ତର ମାସକୁ ୩/୪ ହଜାର ଟଙ୍କା ଔଷଧ ଖର୍ଚ୍ଚ ସକାଶେ ପରାମର୍ଶ ଦେଇଥିଲେ ମଧ୍ୟ ଅର୍ଥାଭାବରୁ କେଉଁ ମାସ ଔଷଧ ସେବନ କରୁଛନ୍ତି ତ କେଉଁ ମାସ ନାହିଁ। ପୁଅ ମାନଙ୍କର ଆର୍ଥିକ ସ୍ବଚ୍ଛଳତା ନଥିବା ବେଳେ ପରିଣତ ବୟସରେ ବିଧବା ଭତ୍ତା ଟିକକ ପାଇବା ପାଇଁ ସରସ୍ବତୀ ସ୍ଥାନୀୟ ପଞ୍ଚାୟତ ଠାରୁ ବ୍ଲକକୁ ବାରମ୍ବାର ଦୈାଡିଛନ୍ତି । ଏଥର ଭତ୍ତା ମିଳିବ ଏପରି ପ୍ରତିଶ୍ରୁତି ପାଇ ଚାତକ ପରି ଚାହିଁ ବସିଥିବା ସରସ୍ବତୀଙ୍କୁ ମାସ ପରେ ବର୍ଷ ବିତି ଯାଉଛି , ହେଲେ ଭତ୍ତା ମିଳି ପାରୁନାହିଁ। ଆଜି ସରସ୍ବତୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଜଳେଶ୍ବର ପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରରେ ଭର୍ତ୍ତି କରାଯାଇଛି । ସରସ୍ବତୀଙ୍କ ଚିକିତ୍ସା ଖର୍ଚ୍ଚ ସହ ଅବିଳମ୍ବେ ଭତ୍ତା ଯୋଗାଇବା ପାଇଁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *