ଓଡିଶା ଦିବସରେ ଓଡ଼ିଆ ପତ୍ରପତ୍ରିକା,ଗଣମାଧ୍ୟମର ଉନ୍ମେଷ ଉପରେ କିଞ୍ଚିତ ଅଵଲୋକନ

ସତୀଶ ମିଶ୍ର : ୧୮୬୫ ୬୬ର ଦୁର୍ଭିକ୍ଷ ଖିନ୍ ଭିନ୍ କରିଦେଲା ଓଡ଼ିଆ ଜାତିକୁ।ତଥ୍ୟ ଅନୁସାରେ ଓଡ଼ିଶାର ସମଗ୍ର ଜନସଂଖ୍ୟା ୩୭ ଲକ୍ଷରୁ ମରିଗଲେ ଏକ ଚତୁର୍ଥାଂଶ।ନିଖୋଜ ହେଇ ଗଲେ ୫୩ ହଜାରରୁ ବେଶୀ। ତହୁଁ ଓଡ଼ିଆଙ୍କ ନୂଆ ପରିଚୟ ହେଲା କଲିକତାର କୁଲି, ଆସାମ ଚାହା ବଗିଚାରେ ମୁଲିଆ ତ ଆଉ କିଛି ଛିଟିକି ଗଲେ ବର୍ମା ଆଡେ।,

୧୯୩୬ ମସିହାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶର ଗଠନ ପଛରେ ମୁଖ୍ୟ କାରକ ହୋଇ ଛିଡା ହୋଇ ଥିଲା ସେଇ ନଅଙ୍କ ଦୁର୍ଭିକ୍ଷ ମହାକାଳର ନିର୍ଦେଶ। ଏଥି ସହିତ ଯୋଡି ହୋଇ ଗଲା କିଛି ମହାମନିସୀଙ୍କର ଅସାମାନ୍ୟ ତ୍ୟାଗ,ଦୃଢ଼ ସଂକଳ୍ପ,ଅବିଚଳିତ ଜାତି ପ୍ରେମ ଓ ସେପାଇଁ ଅବିରତ ଲଢେଇ। ସେ କାଳରେ ଆମ ବୁଦ୍ଧିଜୀବୀ ମାନେ ଅନୁଭବ କଲେଯେ ସରକାର ଓ ଗଣଙ୍କ ମଧ୍ୟରେ ଯୋଗାଯୋଗର ଅଭାବହିଁ ସାମାଜିକ,ରାଜନୈତିକ ସଂକଟର କାରଣ;ଯାହାକି ନଅଙ୍କ ଦୁର୍ଭିକ୍ଷ ପରି ବିପର୍ଯ୍ୟୟର ମୂଳ କାରଣବି। ଏ ଅଭାବ ପୂରଣ ପାଇଁ ସମସ୍ତଙ୍କୁ ସାଥିରେ ନେବାକୁ ହେବ।ପଢ଼ା ପଢ଼ିର ବିକାଶ କରିବାକୁ ହେବ।ଅତଏବ ମାତୃଭାଷାରେ ଲେଖା ପଢ଼ା ସହ ଏହାର ତ୍ୱରିତ ବିକାଶାର୍ଥେ ଖବର କାଗଜ,ପତ୍ରପତ୍ରିକାର ଆବଶ୍ୟକତା ଅନୁଭୁତ ହେଲା।

*ଏଥୁ ଆରମ୍ଭ*
୧୮୬୬ରେ ଗୌରୀ ଶଙ୍କର ରାୟ ଓ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକରୁ ପ୍ରକାଶିତ ହୁଏ ସାପ୍ତାହିକ”ଉତ୍କଳ ଦୀପିକା”।୧୮୬୮ରେ ବାଲେଶ୍ୱରରୁ ଫକୀର ମୋହନ ଏବଂ ଗୋବିନ୍ଦ ପଟନାୟକଙ୍କ ତତ୍ୱାବଧାନରେ”ସମ୍ବାଦ ବାହିନୀ”ପ୍ରକାଶିତ ହେଲା।
ପ୍ୟାରୀ ମୋହନଙ୍କ “ଉତ୍କଳ ପୁତ୍ର”-୧୮୭୩
ଚତୁର୍ଭୁଜ ପଟନାୟକଙ୍କ”ସଂସ୍କାରକ”-୧୮୮୩ ।
୧୮୭୧ରେ ୪ ,୧୮୭୯ରେ ୧୯, ଏହିପରି ଭାବେ ୧୯୦୦ ମସିହା ବେଳକୁ ଓଡ଼ିଆ ଖବର କାଗଜର ସଂଖ୍ୟା ହେଲାଣି ୩୪।
ନିୟମିତ ପ୍ରକାଶ ପାଉଥିବା ପତ୍ରିକା ମଧ୍ୟରେ ଥିଲେ ଉତ୍କଳ ଦୀପିକା ଓ ଉତ୍କଳ ସାହିତ୍ୟ।ବାକି ଅନ୍ୟ ମାନଙ୍କର ଅନିୟମିତତାର ମୂଳ କାରଣ ଥିଲା-ସମ୍ବଳର ଅଭାବ।
ପରେ ସାପ୍ତାହିକ”ଆଶା”-୧୯୧୩,
ସତ୍ୟବାଦୀ ସ୍କୁଲ,ସାକ୍ଷୀଗୋପାଳରୁ
ପ୍ରକାଶିତ “ସମାଜ”-୧୯୧୯ ମସିହାରେ ଦୈନିକ କାଗଜର ସଂକଳ୍ପ ନେଇ ପ୍ରକାଶନ ଆରମ୍ଭ କଲେ।
ଆଶା-୧୯୨୭ ଏବଂ ସମାଜ ୧୯୨୯ରେ ଦୈନିକ କାଗଜ ରୂପେ ପ୍ରକାଶିତ ହେଲା ।
ଉତ୍କଳ ସାହିତ୍ୟ ମାତ୍ର ଦୁଇ ବର୍ଷର ପ୍ରକାଶନ ପରେ ବନ୍ଦ୍ ହୋଇଗଲା।ଶେଷକୁ ପତ୍ରିକାକୁ ଆୟୁଦ୍ଧ କରି ଓଡ଼ିଆ ଜାତି ବିକାଶ ପାଇଁ ପ୍ରତିବଦ୍ଧ ବିଶ୍ୱନାଥ କର ମହୋଦୟ ୧୯୩୦ରୁ ୩୪ ମସିହା ଜାବତ ଏହାକୁ ଚାଲୁ ରଖିଲେ।ଏହାର ନିୟମିତତା ଓ ଗୁଣବତ୍ତା ପାଇଁ ରୋଜଗାର,ପରିବାର ପ୍ରତିପୋଷଣର ଏକମାତ୍ର ପନ୍ଥା ସରକାରୀ ଶିକ୍ଷକ ଚାକିରିବି ଛାଡି ଦେଲେ ସେ।ଋଣ କଲେ,ରାଜା, ଜମିଦାରଙ୍କଠୁ ସହାୟତା ଭିକ୍ଷା କଲେ।ପରିଶେଷରେ ଏ ପତ୍ରିକା ଓ ଏହାର ସମ୍ପାଦକ ଉଭୟଙ୍କର ୧୯୩୪ ମସିହାରେ ମୃତ୍ୟୁ ଘଟିଲା।
ଏ ସବୁ ଥିଲା ଗଣଙ୍କ ମାଧ୍ୟମ।
ବହୁ ଗଡ଼ଜାତ ରାଜା,ଜମିଦାର ମଧ୍ୟ ପତ୍ର ପତ୍ରିକା ପ୍ରକାଶନରେ ବ୍ରତୀ ଥିଲେ।୧୮୭୩ରେ ଉତ୍କଳ ଦର୍ପଣ-ଜମିଦାର ବୈକୁଣ୍ଠନାଥ ଦେ,୧୮୬୮ରେ ଉତ୍କଳ ହିତୈଷିଣି-ଜମିଦାର କାଳିପଦ ବାନେର୍ଜି,୧୮୮୯ରେ ସମ୍ବଲପୁର ହିତୈଷିଣି-ବାମଣ୍ଡା ରାଜା ବାସୁଦେବ ସୁଢ଼ଳ ଦେବ,୧୯୦୦ରେ ଗଡ଼ଜାତ ବାସିନୀ-ତାଳଚେର ରାଜାଙ୍କ ଦ୍ଵାରା ପ୍ରକାଶିତ ହେଉଥିବା ପତ୍ରିକା। ଏଗୁଡିକର ପରିଚାଳନାରେ ସ୍ୱଚ୍ଛଳତା ଥିଲା।ନିଜର ଅସ୍ତିତ୍ୱ ରକ୍ଷା ସହ ସାମାଜିକ ସଂସ୍କାର ପାଇଁ ଏମାନେ ଅଙ୍ଗୀକାର ଥିଲେ।କହିବା ବାହୁଲ୍ୟ କୁସଂସ୍କାର ବିରୋଧୀ ବିଚାରଧାରାକୁ ଶାସକ ଇଂରେଜ ମାନେବି ଅଗ୍ରାଧିକାର ଦେଉଥିଲେ।
——****——-
ସେତେବେଳେ ପତ୍ରିକା ପ୍ରକାଶନର ବ୍ୟବସାୟ ସହ କୌଣସି ସମ୍ପର୍କ ନଥିଲା।ସାମ୍ବାଦିକତାବି ପେଷାଦାର ବୃତ୍ତି ନଥିଲା।ବରଂ ଏହା ଥିଲା ଏକ ଜାତୀୟ ଆହ୍ୱାନ। ସେଇଥି ପାଇଁ ୧୯୨୦ ଦଶକର ଆରମ୍ଭରେ ସମ୍ବଲପୁରରୁ ପ୍ରକାଶିତ “ସାଧନା”ର ସମ୍ପାଦକ ସ୍ବପ୍ନେଶ୍ୱର ଦାସ କହିଥିଲେ-ସମ୍ପାଦକ ନିଜର ଖାଇ ଘୋଡା ପଛରେ ଦୌଡୁ ଥାଏ।ଫକୀର ମୋହନ “ପ୍ରେସ ସ୍ଥାପନ ନତୁବା ଜୀବନ ତ୍ୟାଗ”ଶପଥ ନେଇ ଖୁବ କଷ୍ଟରେ କଲିକତାରୁ ଛପାଖାନା ଆଣି ବାଲେଶ୍ୱରରେ ବସେଇ ଥିଲେ।ଉତ୍କଳ ଦୀପିକାର ପ୍ରକାଶନ ପଛରେ ପୁରା ପ୍ରାଣରେ ଲାଗି ଥିଲେ ଗୌରୀ ଶଙ୍କର।ପ୍ୟାରୀ ମୋହନଙ୍କ ” ଉତ୍କଳ ପୁତ୍ର” ପ୍ରକାଶନର ମୂଳ ଉଦ୍ଦେଶ୍ୟ ଥିଲା ଉତ୍କଳ ଦୀପିକାକୁ ସାମାଜିକ କାର୍ଯ୍ୟରେ ସହଯୋଗ ଦେବା।ସେତେବେଳେ କେହି କାହାର ପ୍ରତିଦ୍ବନ୍ଦିବି ନଥିଲେ,ବରଂ ଥିଲେ ସତୀର୍ଥ।

ଏହିଭଳି ସହଯୋଗ,ସ୍ୱାର୍ଥ ତ୍ୟାଗ,ଆତ୍ମ ବଳିଦାନର ବେଦି ଉପରେ ଛିଡା ହୋଇଛି ଆଧୁନିକ ଓଡ଼ିଆ ଗଣ ମାଧ୍ୟମ।

Leave a Reply

Your email address will not be published. Required fields are marked *