ଅତିଥିସମ୍ପାଦକ ( ସତୀଶ ମିଶ୍ର )ଗୁଜୁରାଟର ସ୍ୱାମୀନାରାୟଣ ଭୂଜ ମନ୍ଦିର ୟୁଟ୍ୟୁବ୍ ପେଜ୍ରେ ସେୟାର କରାଯାଇଥିବା ଭିଡିଓରେ ସଂସ୍ଥାର ମାର୍ଗଦର୍ଶକ ସ୍ୱାମୀ କୃଷ୍ଣସ୍ୱରୂପ ଦାସଜୀ କହିଛନ୍ତି ଯେ ଯେଉଁ ପୁରୁଷ ଋତୁସ୍ରାବ ହେଉଥିବା ମହିଳାଙ୍କ ହାତ ତିଆରି ଖାଦ୍ୟ ଖାଇବେ ସେମାନେ ଆର ଜନ୍ମରେ ବଳଦ ହେବେ ଏବଂ ଋତୁସ୍ରାବ ବେଳେ ମହିଳାମାନେ ଖାଦ୍ୟ ତିଆରି କଲେ ପର ଜନ୍ମରେ ମାଈ କୁତି ହୋଇ ଜନ୍ମ ନେବେ!
ପ୍ରକାଶ ଥାଉକି ଏହି ମନ୍ଦିରର ପାଣ୍ଠିରେ ଚାଲିଥିବା ଯୁକ୍ତ ତିନି ମହିଳା କଲେଜ ହଷ୍ଟେଲରେ ଗତ କିଛି ଦିନ ତଳେ ମାସିକ ପିରିୟଡର ଯାଞ୍ଚ ଲାଗି ଝିଅମାନଙ୍କୁ ପ୍ୟାଣ୍ଟି ଖୋଲି ଲଙ୍ଗଳା ହେବାକୁ ବାଧ୍ୟ କରାଯାଇଥିଲା। କାରଣ ସେଠିକା ନିୟମ ଅନୁସାରେ ପିରିଅଡ଼ ବେଳେ ଛାତ୍ରୀ ମାନଙ୍କୁ ଅଛୁଆଁ ରେଜିଷ୍ଟ୍ରରରେ ପଞ୍ଜିକୃତ ହେବାକୁ ପଡେ।ସେ ବେଳରେ ସେମାନେ ହଷ୍ଟେଲ ରୁମ ବଦଳରେ ବେସମେଣ୍ଟରେ ରୁହନ୍ତି।ଖାଦ୍ୟବି ସର୍ବସାଧାରଣ ମେସ୍ ବଦଳରେ ଭିନ୍ନ ଜାଗାରେ ପରସା ହୁଏ ସେମାନଙ୍କୁ-ଏକ ପ୍ରକାର ଅସ୍ପୃଶ୍ୟତାର ଜୀବନ ବିତେଇ ବାକୁ ହୁଏ। କେହି କେହି ଜାଣି ଜାଣି ଏକଥା କହୁ ନଥିବାର ଖବର ପାଇବା ପରେ ସେମାନଙ୍କୁ ଲଙ୍ଗଳା କରା ଯାଇ ଥିଲା।ସେତେବେଳେ ଏଭଳି ଘୃଣ୍ୟ କାମର ଦୃଷ୍ଟାନ୍ତ ମୂଳକ ବିରୋଧ କରା ଯାଇ ନଥିବାରୁ। ଏବେ ଉପରୋକ୍ତ ପ୍ରବଚନକୁ ସେ ଭିଡିଓ ମାଧ୍ୟମରେ ସାମାଜିକ ଗଣ ମାଧ୍ୟମରେ ସେଆର କରିଛନ୍ତି।
ପ୍ରଚଣ୍ଡ ଋଢ଼ିବାଦୀ ସମାଜ ବ୍ୟବସ୍ଥାରେ ମହିଳାକୁ ଏରୁଣ୍ଡିବନ୍ଧ ଡିଆଁଇ ଆଧୁନିକତାର ରାସ୍ତାରେ ଛିଡା କରାଇବାର ସର୍ବାଧିକ ଶ୍ରେୟ ମିଳିବ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ-ସାନିଟାରୀ ନାପକିନକୁ। ତେଣୁ ମହିଳାଙ୍କୁ ନ୍ୟୁନ ଦେଖେଇବା ପାଇଁ ସେମାନଙ୍କ ସୁରକ୍ଷାକାରୀ ସାନିଟାରୀ ନ୍ୟାପକିନର ଭୟ ବାବା,ପୁରୋହିତଙ୍କୁ ସବୁଠାରୁ ବେଶୀ।
ହିସାବରୁ ଜଣାଯାଏ ଜଣେ ନାରୀ ଜୀବଦଶାରେ ୪୫୦ରୁ୫୦୦ ଋତୁଚକ୍ରର ସମ୍ମୁଖିନ ହେବାସହ ପ୍ରାୟ ୨୩୦୦ ଦିନ ରଜସ୍ଵାଳା ହୁଏ।
କେବଳ ସେତିକିନୁହେଁ:ଏହାଏକ ନିୟମିତ ଜୈବିକ,ସ୍ୱାଭାବିକ ଅବଧାର ହୋଇଥିଲେ ମଧ୍ୟ ପୁରୁଷକେନ୍ଦ୍ରିକ ବ୍ରାହ୍ମନ୍ୟବାଦୀ ବ୍ୟବସ୍ଥାରେ ରଜସ୍ୱାଳା ବେଳେ ଆହୁରି ଅନେକ ସାମାଜିକ ଅସ୍ପୃଶ୍ୟତା,ବାଧାବିଘ୍ନ ସାମ୍ନା କରିବାକୁ ହୁଏ ଭାରତୀୟ ମହିଳାଙ୍କୁ।ଏବେମଧ୍ୟ ଶହେକେ ମାତ୍ର୧୨ଜଣ ମହିଳାହିଁ ବ୍ୟବହାର କରନ୍ତି ସାନିଟାରି ନାପକିନ।ଏହାକୁ ଅଧିକାରୁ ଅଧିକ ବ୍ୟବହାର ପାଇଁ ପ୍ରବର୍ତାଇବା ଦାଇତ୍ୱ ସରକାରଙ୍କର।କାରଣ ଏହାର ସିଧା ସମ୍ପର୍କ ରହିଛି ମହିଳାଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ସହିତ।ତେବେ ମହିଳାଙ୍କ ପାଇଁ ଏହା ଏକ ଅତ୍ୟାବଶ୍ୟକ ବା ବାଧ୍ୟବାଧକ ବ୍ୟବସ୍ଥା।
ପ୍ରାରବ୍ଧ,ପରଜନ୍ମ, କର୍ମ ଫଳ ଆଧାରରେ ଲୋକଙ୍କୁ ଭଣ୍ଡେଇବା, ଭୟଭୀତ କରେଇବା,ଅଭିଶାପ ଦେବା ଆତ୍ମ ଘୋଷିତ ସ୍ୱାମୀ,ନକଲି ସାଧୁ ମାନଙ୍କର ସବୁଠାରୁ ପୁରୁଣା କୌଶଳ।
ଆଜିର ବିଜ୍ଞାନ ଓ ପ୍ରଯୁକ୍ତି ଯୁଗରେ ଏଭଳି ଭଣ୍ଡ ସ୍ୱାମୀଜୀ ଓ ଏହାର ସମର୍ଥକଙ୍କୁ ଗୁଜୁରାଟ ସରକାରଙ୍କ ସାମାଜିକ ନ୍ୟାୟ ଓ ମହିଳା ବିକାଶ ସଂସ୍ଥା କିଭଳି ବିବେଚନା କରୁଛନ୍ତି ତାହା ଦେଖିବାର ଅଛି।
