ଜଳେଶ୍ଵର : ( ସଂଜୟ ଦାସ )୬୦ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ନିକଟରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ବରପକ୍ଷରୁ ଜଣ ଯାତ୍ରୀଙ୍କ ଜୀବନ ଚାଲିଥିବା ବେଳେ ୧୮ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣକ ଅବସ୍ଥା ସଙ୍କଟାପନ୍ନ ରହିଛି।ଏହି ସଙ୍କଟାପନ୍ନ ରୋଗୀ ମାନଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ ଆଜି ଅପରାହ୍ନ ପ୍ରାୟ ୧ ଟା ୩୦ ମି: ସମୟରେ ବସ୍ତା ଥାନା କୁଳିଦା ପଞ୍ଚାୟତର ଗରୀପୁର ଗାଁରୁ ବର ସହ ବରଯାତ୍ରୀ ଦଳ ବିବାହ ପାଇଁ ଜଳେଶ୍ଵର ଥାନା ଗୋପିମୋହନପୁର ପଞ୍ଚାୟତର ବାସୁଳିଆ ଗାଁକୁ ୮ ଟି ଭିନ୍ନ ଭିନ୍ନ ଗାଡ଼ିରେ ଯାଉଥିଲେ । ତେବେ ସେଥିମଧ୍ୟରୁ ଓଡି୦୧ଜେ-୨୯୧୨ ନମ୍ବରର ଟାଟାଏସି ଗାଡ଼ିରେ ଚାଳକକୁ ମିଶାଇ ପ୍ରାୟ ୨୦ ଜଣ ଯାତ୍ରୀ ଥିଲେ। ତେବେ ଗାଡ଼ିଟି ଆମ୍ବଳିଅଠା ପୋଲ ନିକଟକୁ ରାସ୍ତା ଭୁଲି ଚାଲିଆସିଥିବା ବେଳେ ସ୍ଲିପ ରୋଡ଼ ଦେଇ ପୁଣି ରାଜପଥକୁ ଉଠୁଥିଲା।ଏହି ସମୟରେ ଲକ୍ଷ୍ମଣନାଥ ଦିଗରୁ ଆସୁଥିବା ଜିଏ୦୩ଡବ୍ଲ୍ୟୁ୩୮୮୮ ନମ୍ବରର ଟ୍ରକ ଏହି ଟାଟାଏସି ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଟାଟାଏସି ଗାଡିଟି ପ୍ରାୟ ୨୫ ଫୁଟ ଆଗକୁ ଘୋଷାରି ହୋଇ ଯିବା ସହ ପୁଣି ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ୧୮ ଜଣ ରୋଗୀଙ୍କୁ ଏନଏଚ ଆମ୍ବୁଲାନ୍ସ,୧୦୮ ଆମ୍ବୁଲାନ୍ସ ଓ ଜଳେଶ୍ୱର ପୁଲିସ ଗାଡ଼ିରେ ଜିକେ ଭଟ୍ଟର ହସପିଟାଲକୁ ଅଣା ଯାଇଥିଲା। ସେମାନଙ୍କ ମଧ୍ୟରୁ ରୁପା ହାଁସଦା,ଟୁନା ମୁର୍ମୁ,ରମେଶ ଟୁଡୁ,ବୁଧୁ ହାଁସଦା ଓ ଆଶୁ ଟୁଡୁ ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବାଲେଶ୍ଵର ସ୍ଥାନାନ୍ତର କରାଯାଇଥିବେ ବେଳେ ଜିଲ୍ଲା ମେଡିକାଲରେ ସାକ୍ରା ହାଁସଦା ମୃତ୍ୟୁ ବରଣ କରିଛି । ସେହିପରି ସୁକାନ୍ତି ହାଁସଦା,ଦେବୀକା ହାଁସଦା,ଅଭିରାମ ମୁର୍ମୁ,ମାମି ମୁର୍ମୁ,ସୋମବାରୀ ହାଁସଦା,ଯବାମଣି ହାଁସଦା,ଗୈାରୀ ମୁର୍ମୁ,ପଙ୍କଜିନୀ ମୁର୍ମୁ ଓ ସଲମା ମୁର୍ମୁ ପ୍ରମୁଖଙ୍କୁ ଜିକେ ଭଟ୍ଟର ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ଟାଟାଏସି ର ଚାଳକ ସୁସ୍ଥ ଥିବାବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକର ଚାଳକ ଓ ହେଲପର ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୁଲିସ ଅଟକ ରଖିଛି ତଦନ୍ତ ଆରମ୍ଭ କରିଛି।
