ଅତିଥି ସମ୍ପାଦକ (ସତିଶ ମିଶ୍ର) : ମୋଦି ସରକାର ଜାପାନୀ ବୁଲେଟୄ ଟ୍ରେନ୍ ମୋହରେ ପଡିବା ବେଳେ ୨୦୧୮ ମସିହାରେ ତାମିଲନାଡୁସ୍ଥ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିର ବୈଜ୍ଞାନିକ ମାନେ ସମ୍ପୂର୍ଣ୍ଣ ନିଜସ୍ୱ କାରିଗରୀ ଜ୍ଞାନ କୌଶଳରେ ସେମି ସୁପର୍ ଫାଷ୍ଟ୍ ଇଞ୍ଜିନ୍ ନିର୍ମାଣ ପାଇଁ ସରକାରଙ୍କ ଅନୁମତି ମାଗି ଥିଲେ। ଅନୁମତିବି ମିଳି ଗଲା।ଘଣ୍ଟାକୁ ୧୬୦ ରୁ ୨୦୦ କିଲୋମିଟର ବେଗରେ ଚାଲୁଥିବା ଏହି ଇଞ୍ଜିନ୍ ସଫଳତାର ସହ ନିର୍ମିତ ହୋଇ ଗଲା।ଏଥିରେ ୮୦% ଜ୍ଞାନ କୌଶଳ ଭାରତୀୟ। ନିର୍ମାଣ ଖର୍ଚ୍ଚ ଆନ୍ତର୍ଜାତିକ ବଜାର ଦରରେ ମୂଲ୍ୟାୟନ କଲେ ୪୦% କମ।ଏହାର ନିର୍ମାଣ ଅବଧି ଥିଲା ମାତ୍ର ୧୮ ମାସ।ଯାହା ଏକ ରେକର୍ଡ।
ସରକାର ଏହାର ନାମ କରଣ କଲେ” ବନ୍ଦେ ଭାରତ ଏକ୍ସପ୍ରେସ” । ଦିଲ୍ଲୀ ବାରଣାସୀ ଏବଂ ଦିଲ୍ଲୀ କଟ୍ରା ରୁଟ୍ ରେ ଯାହା ଖୁବ ସଫଳତାର ସହ ସେବା ଯୋଗେଇ ଆସୁଛି। ସରକାର ଘୋଷଣା କଲେ ଆଗକୁ ଏହି କାରିଗରୀ କୌଶଳରେ ୧୦୦ଟି ଏବଂ ଆସନ୍ତା ୩ ବର୍ଷରେ ୪୦ ଟି ଟ୍ରେନ୍ ନିର୍ମାଣ ହେବ। ଗତ ବର୍ଷ ଆଉ ଦୁଇଟି ଇଞ୍ଜିନର ତତ୍କାଳ କାର୍ଯ୍ୟ ଆରମ୍ଭ ହୋଇ ଗଲା।
ସବୁ ଠିକ୍ ଠାକ୍ ଚାଲିଥିଲା ବେଳେ ଏହାର ଆନୁସଙ୍ଗିକ ଯନ୍ତ୍ରାଂଶ ଟେଣ୍ଡରରେ କେବଳ ଭାରତୀୟ କମ୍ପାନୀକୁ ସୁଯୋଗ ଦେଇ ବିଦେଶୀ କମ୍ପାନୀକୁ ଅନୁଗୃହିତ ନକରିବା ସହ ବିଭାଗୀୟ ନାଲି ଫିତାର ଜଟିଳତା କିମ୍ବା ଚାପ ନରଖିବାକୁ କମ୍ପାନୀର ବୈଜ୍ଞାନିକ ମାନଙ୍କର ସର୍ତ୍ତ ଓ ନିଷ୍ପତ୍ତି ମାଡ୍ରାସ ଇଣ୍ଟିଗ୍ରାଲ୍ କୋଚ୍ ଫାକ୍ଟ୍ରିକୁ ମହଙ୍ଗା ପଡିଗଲା ଆରମ୍ଭ ହେଲା ଷଡଯନ୍ତ୍ର।ପ୍ରଥମେତ ସରକାର ବନ୍ଦେ ଭାରତ ଏକ୍ସପ୍ରେସର ସମ୍ପୁର୍ଣ୍ଣ ପ୍ରକଳ୍ପ ରାଏବରେଲିକୁ ସ୍ଥାନାନ୍ତର ପାଇଁ ଯୋଜନା କଲେ।ଶ୍ରମିକ ସଂଗଠନ ମାନଙ୍କ ଆନ୍ଦୋଳନ ହେତୁ ଯାହା ସମ୍ଭବ ହେଲା ନାହିଁ।
ଏହା ପରେ ଉପରୋକ୍ତ ନିର୍ମାଣକାରୀ ଦଳର ୮ ଜଣ ଉଚ୍ଚ ଅଧିକାରୀଙ୍କ ବିରୋଧରେ ଆରମ୍ଭ ହୋଇ ଗଲା ଦୁର୍ନୀତି ନିବାରଣ ବିଭାଗର ତଦନ୍ତ।ପରେ ପରେ ନିମ୍ନ ମାନର ଉପକରଣ ଯୋଗାଣ ଏବଂ ଅହେତୁକ ଅନୁକମ୍ପା ଅଭିଯୋଗ କରି ୩୭ ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ପାଇଁ ହୋଇଥିବା ଟେଣ୍ଡର୍ ପ୍ରକ୍ରିୟାରୁ ସମସ୍ତ ଭାରତୀୟ କମ୍ପାନିକୁ ବାଦ୍ ଦେଇ ନିଷ୍ପତ୍ତି ହେଲାଯେ- ସାରା ବିଶ୍ୱର କମ୍ପାନୀ ମାନେ ଟେଣ୍ଡର୍ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବେ।ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁଇଟି ଟ୍ରେନର ଅପୂର୍ବ ସଫଳତା ପରେ ଏହି ଭଳି ଭାବେ ରେଳବାଇର ମେକ୍ ଇନ୍ ଇଣ୍ଡିଆ ସ୍ବପ୍ନକୁ ହତ୍ୟା କରି ଦିଆଗଲା।
————-***————-
ଏଇ ନିକଟରେ କେନ୍ଦ୍ର ସରକାର ଭାରତୀୟ ରେଳବାଇର ୧୦୦ଟି ଟ୍ରାକରେ ୧୫୦ ଘରୋଇ ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ନେଇ ସାଇଛନ୍ତି। ସାରା ଦେଶରେ ନାଗରିକ ସଂଶୋଧନ ଆଇନକୁ ନେଇ ଚାଲିଥିବା ଆନ୍ଦୋଳନର ଖବର ଆଢୁଆଳରେ ଏଭଳି ନିଷ୍ପତ୍ତି ନିଆ ଯାଇଛି।ଠିକ୍ ଯେମିତି ପୁଲବାମା ଘଟଣା ବେଳେ ଦେଶର ୬ଟି ବିମାନ ବନ୍ଦର ପରିଚାଳନା ଆଦାନୀ କମ୍ପାନୀକୁ ଦେଇ ଦିଆ ଯାଇ ଥିଲା।ଏହା ସେଇଭଳି ଏକ କୌଶଳ। ଲୋକଙ୍କ ସମ୍ବଳରେ ଗଢ଼ା ପ୍ରକଳ୍ପ ଗୁଡିକୁ ବିକ୍ରି କରିଦେବା ପାଇଁ ସୁଚିନ୍ତିତ ଭିତ୍ତିଭୂମି ତିଆରି ଚାଲିଛି। ଏପଟେ ନଜର ଏଡେଇବା ପାଇଁ ମେକ୍ ଇନ୍ ଇଣ୍ଡିଆର ବ୍ୟୟ ବହୁଳ ସରକାରୀ ପ୍ରଚାର ତଳେ ଚାଲିଛି ସେଲ୍ ଅଫ୍ ଇଣ୍ଡିଆ।
—————***—————-
ଏବେ ସେଲ୍ ଅଫ୍ ଇଣ୍ଡିଆ।
ଟେଣ୍ଡର୍ ପ୍ରକ୍ରିୟାରେ ଭାଗ ନେବେ ବିଦେଶୀ କମ୍ପାନୀ ମାନେ।ଉପରକୁ ରେଳ ପୂର୍ବରୁ ଭାରତୀୟ ଶବ୍ଦହିଁ କେବଳ ଲେଖା ରହିବ। ଏହି ଭଳି ଭାବେ ଗୋଳା ବାରୁଦ କାରଖାନା, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼,ବି ଏସ ଏନ ଏଲ,ଭାରତ ପେଟ୍ରୋଲିଅମ,ନୀଳାଚଳ ଇସ୍ପାତ ନିଗମ ଓ ଅନ୍ୟ ସରକାରୀ କମ୍ପାନୀ ପରି ପିଟି ପିଟି ମବ ଲିଂଚିଂ ତରିକାରେ ହତ୍ୟା ଚାଲିଛି ଭାରତୀୟତା। ତେଣେ ସ୍ଲୋଗାନରେ କୁହାଯାଉଛି “ଭାରତ ମାତାର ଜୟ”।
