ନକ୍ସଲ୍ ଓ ଅର୍ବାନ ନକ୍ସଲ୍ ! “ଅର୍ବାନ ନକ୍ସଲ”କୁ ମିଳିଛି ମାନ୍ୟତା

ଅତିଥି ସମ୍ପାଦକ (ସତିଶ ମିଶ୍ର) : ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଏକ ରାଲିକୁ ସମ୍ବୋଧନ କରି ଥିଲେ।ପୁରୁଣା ଶୈଳୀରେ ଏଠି ମଧ୍ୟ ସେ ବହୁ ଅତଥ୍ୟ ଓ ଅଧାସତ୍ୟ ତଥ୍ୟ ଦେଇ ଉପସ୍ଥିତ ଜନତାଙ୍କୁ ରୋମାଂଚିତ କରିଥିଲେ।ଏ କଥାବି କହି ଥିଲେଯେ ସହରରେ ରହୁ ଥିବା କିଛି ପଢ଼ା ଲେଖା ବ୍ୟକ୍ତି ବା ଅର୍ବାନ ନକ୍ସଲ୍ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗତ କିଛି ଦିନ ଧରି “ଅର୍ବାନ୍ ନକ୍ସଲ୍”ନାଁରେ ଦେଶର ବୁଦ୍ଧି ବିବେକ ସମ୍ପନ୍ନ ଲୋକଙ୍କୁ ଆକ୍ରମଣ କରିବାର ଏକ ପ୍ରକ୍ରିୟା WhatsApp ୟୁନିଭରସିଟି ମାର୍ଫତ୍ ରେ ଆରମ୍ଭ ହୋଇଛି। ପ୍ରାୟୋଜିତ ଭାବେ କିଛି ସଂଗଠିତ ଟ୍ରୋଲ୍ ମାଧ୍ୟମରେ ଏ କାମ ଚାଲିଛି।

ନକ୍ସଲ୍ କିଏ:
ଆଜକୁ ପଚାଶ ବର୍ଷ ତଳେ ବଙ୍ଗଳାର ଦାର୍ଜିଲିଂ ଜିଲ୍ଲାରେ ଉଠିଥିଲା ଏକ ଘୁର୍ଣ୍ଣିଝଡ଼।ସେଠିକାର ସୁଧଖୋର ସାହୁକାର,ଜମିଦାର ଙ୍କ ଶୋଷଣ,ଅତ୍ୟାଚାର ବିରୁଦ୍ଧରେ ଭୂମିହୀନ,ରଇତ,ଚାଷୀଙ୍କର ମେଳି ଭାରତ ବର୍ଷରେ ଗଣ ସଂଗ୍ରାମକୁ ଦେଇଥିଲା ଭିନ୍ନ ପରିଭାଷା।
…ଆଉ ନୁହେଁ! ପାରମ୍ପାରିକ ଅସ୍ତ୍ର ସସ୍ତ୍ର ଧରି ବାହାରିପଡିଥିଲେ ଲୋକେ।ଆରମ୍ଭ ହୋଇଥିଲା ସଂଗଠିତ ପ୍ରତିବାଦ। ଗାଁ ଗାଁ ରେ ତିଆରି ହେଲା ବିପ୍ଲବୀ କୃଷକ କମିଟି। ଜମିଦାର କବଜାରେ ଥିବା ଶହ ଶହ ଏକର ଜମିକୁ ଭାଗ ଚାଷୀ ମାନେ ଦଖଲକୁ ନେଇଗଲେ। ନିରନ୍ନ ଜନତା ବାଣ୍ଟିନେଲେ ଅମାରର ଖାଦ୍ୟ ଶସ୍ୟ।ନଷ୍ଟ କରିଦେଲେ ଋଣ-ବନ୍ଧକ ଖାତା,ଖତିଆନ ସବୁ।
ଚାଷୀ ମୁଲିଆର ଏହି ସଶସ୍ତ୍ର ଆନ୍ଦୋଳନର ଲକ୍ଷ ଥିଲା ଜମି ଦଖଲରୁ-କ୍ଷମତା ଦଖଲ। ଯାହାର ନେତୃତ୍ୱ ନେଇଥିଲେ କିଛି କମ୍ୟୁନିଷ୍ଟ- ଚାରୁ ମଜୁମଦାର,କାନୁ ସନ୍ୟାଲ,ଜଙ୍ଗଲ ସାଂଥାଲ,ଖୋକନ ମଜୁମଦାର ପ୍ରମୁଖ।
ଦେଶର ବିଭିନ୍ନପ୍ରାନ୍ତ:ତେଭାଗା,ୱର୍ଲୀ,ପୁନପ୍ରା,ତେଲେଙ୍ଗାନା ଆଦି ଅଞ୍ଚଳରେ ଘଟି ସାରି ଥିବା ସଂଗଠିତ କୃଷକ ଆନ୍ଦୋଳନର ଅଭିଜ୍ଞତା ମାନ ଏହାକୁ ମଦତ ଯୋଗାଇଥିଲା।ଏଥିରେ ୨୫/୫/୬୭ ରେ ବାର ଜଣ କୃଷକଙ୍କ ପୁଲିସ ସହ ସଂଘର୍ଷରେ ମୃତ୍ୟୁ ଘଟି ଥିଲା।ବଙ୍ଗଳାର ତତ୍କାଳୀନ ବାମପନ୍ଥୀ ସରକାର ଏ ଲଢ଼େଇର ନିଆଁକୁ ଦମନ କରିଥିଲେ ମଧ୍ୟ ସାରାଦେଶରେ ଏହା କୁହୁଳିବାରେ ଲାଗିଲା। ସାଧାରଣ ନାଗରିକ ହାତରେ ବ୍ୟବସ୍ଥା ଦେବା ପାଇଁ ଅଧର୍ଯ୍ୟ ଯୁବ ବିପ୍ଲବୀ ମାନେ ଏହାକୁ”ବସନ୍ତର ବଜ୍ରନାଦ”ଭାବେ ଆଖ୍ୟାୟିତ କଲେ। ଦାର୍ଜିଲିଂ ଜିଲାର ସେହି ସ୍ଥାନର ନାଁ ଥିଲା ନକ୍ସଲ ବାଡ଼ି। ତେଣୁ ଅଚିରେ ଲୋକ ମୁଖରେ ଏ ଆନ୍ଦୋଳନ “ନକ୍ସଲବାଦି ଆନ୍ଦୋଳନ” ନାଁରେ ଖ୍ୟାତି ପାଇଲା ।
….ଆଜିର ସମୟରେ ଏହାକୁ ରାଷ୍ଟ୍ର ବିରୁଦ୍ଧରେ ସସସ୍ତ୍ର ଲଢେଇ, ଦୂର ଦୃଷ୍ଟି ବିହୀନ ବହୁଦା ବିଭକ୍ତ ତଥା ଶ୍ରେଣୀ ସଂଘର୍ଷ ବିବର୍ଜିତ ହିଂସାର ମାର୍ଗ ତଥା ଅନ୍ୟ ଆତଙ୍କ ପରି ଏକ ଆତଙ୍କବାଦ ବୋଲି ମାନ୍ୟତାହିଁ ଦିଆଯିବ ।
ଅର୍ବାନ୍ ନକ୍ସଲ୍:
ତେବେ ବିପ୍ଳବ ଏକ ନିରବଛିନ୍ନ ଧାରା।ପ୍ରତିଟି ବିପ୍ଳବ ଦାଇତ୍ୱବାନ ହୋଇ ତିଆରିକରେ ଆଉ ଏକ ବିପ୍ଳବକୁ।ଏକ ବିଜ୍ଞାନ ସମ୍ମତ ସାମାଜିକ ବ୍ୟବସ୍ଥା ପାଇଁ ବିପ୍ଳବ କ୍ରମରେ ସଂଖ୍ୟା ନୁହେଁ ବରଂ ଦୃଢ଼ ଆତ୍ମ ବିଶ୍ୱାସ ଏବଂ ଆଦର୍ଶ ପ୍ରତି ଅବିଚଳିତ ଅଙ୍ଗୀକାର ବଦ୍ଧତା ହିଁ ପ୍ରଥମ କଥା। ଏକଥା ସତ୍ୟ-ବିପ୍ଳବ ଗୋଲାପର ପାଖୁଡା ନୁହେଁ ବରଂ ଏକ କଣ୍ଟକିତ ପଥ।ମାନବ ସଭ୍ୟତାର ଶତ୍ରୁ-ସାମ୍ରାଜ୍ୟବାଦ,ପୁଞ୍ଜିବାଦ ଅପ୍ରତିହତ ନୁହେଁ । ଆଜିର ସମୟରେ ସେଇଥି ପାଇଁ ବ୍ୟବସ୍ଥାପକ ମାନଙ୍କୁ ଘାରିଛି”ସହରି/ଅର୍ବାନ୍ ନକ୍ସଲ”ର ଭୟ।
ସହରି ନକ୍ସଲ କିଏ ? ଏହା ଏକ ନୂଆ ଶବ୍ଦ। ଯିଏ ବନ୍ଧୁକ ନୁହେଁ କଲମ ଧରେ,ସାମ୍ବିଧାନିକ ବିଧି ବ୍ୟବସ୍ଥାରେହିଁ ସମାଜର ସବା ତଳ ସ୍ତରର ମଣିଷ ପାଇଁ ଲଢ଼େ,ଅଶିକ୍ଷା,ଅପପୁଷ୍ଟି,ସାମାଜିକ ଅନ୍ୟାୟ,ବିସମତା ବିରୁଦ୍ଧରେ ବୈପ୍ଳବିକ ପରିବର୍ତ୍ତନର ହୁଙ୍କାର ଦିଏ,ବିରୋଧୀ ଦଳର ଭୂମିକା ନିର୍ବାହନ କରେ।
ସେ ଯାହା ହେଉ ନକ୍ସଲବାଡି ଆନ୍ଦୋଳନର ପଚାଶ ବର୍ଷ ପୂର୍ତ୍ତି ବେଳେ ସରକାର ବା ବ୍ୟବସ୍ଥାପକ ମାନେ,ଏପରିକି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମନେ ପକେଇ ଦେଇଛନ୍ତି ନକ୍ସଲ୍ ବାଦୀ ଇତିହାସକୁ।

Leave a Reply

Your email address will not be published. Required fields are marked *