ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା

ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲା ସମେତ ପଡ଼ୋଶୀ ଭଦ୍ରକ ଓ ମୟୂରଭଞ୍ଜ ଅଞ୍ଚଳରେ ସକ୍ରିୟ ଥିବା ଏକ ଆନ୍ତଃଜିଲ୍ଲା ବାଇକ୍ ଚୋରି ଓ ବେଆଇନ୍ ମଦ କାରବାର ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ଏହି ମାମଲାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪ଟି ଚୋରା ବାଇକ୍ ଓ ୨ଟି ମୋବାଇଲ୍ ଫୋନ୍ ଜବତ କରିଛି।

ଆଜି ଭୋର ପ୍ରାୟ ୫ଟା ସମୟରେ ହରିପୁର ଛକ ନିକଟରେ ପୋଲିସ ପେଟ୍ରୋଲିଂ ଓ ଯାଞ୍ଚ ଚାଲିଥିବା ବେଳେ, ଗୋଟିଏ ନମ୍ବର ପ୍ଲେଟ୍ ନଥିବା ବାଇକ୍‌କୁ ଅଟକାଯାଇଥିଲା। ବାଇକ୍ ଚାଳକ ‘ବୁବୁ’ ଓରଫ୍ ବିଶ୍ୱଜିତ୍ ଜେନାକୁ କାବୁ କରି ପଚରାଉଚରା କରିବା ପରେ, ତା’ର ସହଯୋଗୀଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ପରେ ସେମାନଙ୍କ ଘର ଓ ଅନ୍ୟାନ୍ୟ ଆଡ୍ଡାରେ ଚଢ଼ାଉ କରି ପୋଲିସ ଅନ୍ୟ ୩ଟି ଚୋରା ବାଇକ୍ ଉଦ୍ଧାର କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ:
୧. ବିଶ୍ୱଜିତ୍ ଜେନା ଓରଫ୍ ବୁବୁ (୨୫), ପିତା: ଶିବସୁନ୍ଦର ଜେନା (ଧୂସୁଳି, ସଦର ଥାନା)
୨. ବିଶ୍ୱଜିତ୍ ଭଣ୍ଡାରୀ ଓରଫ୍ ବାବୁ (୨୬), ପିତା: ଜତିନ୍ ଭଣ୍ଡାରୀ (ମାନସିଂହ ବାଜାର, ଟାଉନ୍ ଥାନା)
୩. ଜଗନ୍ନାଥ ଦାସ ଓରଫ୍ ଜଗା (୨୯), ପିତା: ରବୀନ୍ଦ୍ର ଦାସ (ଗୋପୀନାଥପୁର, ସଦର ଥାନା)
୪. ମକର ଚରଣ ଜେନା (୨୫), ପିତା: କାହ୍ନୁ ଚରଣ ଜେନା (ମାଛଡ଼ିହା, ବସ୍ତା ଥାନା)

ପୋଲିସ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ବେଆଇନ୍ ମଦ କାରବାର ସମେତ ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି। ଏନେଇ ସହଦେବଖୁଣ୍ଟା ଥାନାରେ କେସ୍ ନମ୍ବର- ୩୪୯/୨୦୨୬ ଅଧୀନରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *