ଦେବଗଡ଼ : ନିମ୍ନ ମାନର କାମ ପାଇଁ ୩୬ ଘଣ୍ଟା ନପୁରୁଣୁ ଉଠିଯାଉଛି ପିଚୁବୋଳା ଚିପ୍ସ । ଦେବଗଡ ପୂର୍ତ ବିଭାଗ(ରାସ୍ତା ଓ ସୌଧ) ଦ୍ୱାରା ନିର୍ମାଣାଧିନ କୈଳାଶ–ଗଇଲୋ ଘାଟି ରାସ୍ତାର ମରାମତି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେବା ସହ ଅତ୍ୟନ୍ତ ନିମ୍ନମାନର ନିର୍ମାଣ କାର୍ଯ୍ୟ କରାଯାଉଛି । ଫଳରେ ୩୬ ଘଣ୍ଟା ନପୁରୁଣୁ ପିଚୁବୋଳା ଚିପ୍ସ ଉଠିଯିବା ସହ ରାସ୍ତାର ଅବସ୍ଥା ଯଥା ପୂର୍ବଂ ତଥା ପରଂ ହୋଇପଡିବା ସହ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ମିଳିଥିବା ସୂଚନା ଅନୁଯାୟୀ ସଡକ ଦୁର୍ଘଟଣାରୁ ରକ୍ଷା ପାଇଁ ଦେବଗଡ ଜିଲାର କୈଳାଶରୁ ଲଇମୁରାକୁ ସଂଯୋଗ କରୁଥିବା କୈଳାଶ ଘାଟ- ଝରାଗୋଗୁଆ ରାସ୍ତାର ମରାମତି କାମ ଚାଲିଥିବା ବେଳେ, ବ୍ୟୟ ଅଟକଳ ଅନୁଯାୟୀ ଆବଶ୍ୟକ ପରିମାଣର ପିଚୁ ବ୍ୟବହାର କରାଯାଇନଥିବା ଏବଂ ରୋଲିଂ କରାଯାଉନାହିଁ । ଫଳରେ ନିର୍ମାଣର ୩୬ ଘଂଟା ନପୁରୁଣୁ ରାସ୍ତାରୁ ପିଚୁବୋଳା ଚିପ୍ସ ଉଠିଯାଇ ଏଣେତେଣେ ଛିଟିକି ପଡୁଛି । ମୋଟାମୋଟି ଭାବେ କହିବାକୁ ଗଲେ ରାସ୍ତାର ମାନ ଏତେ ନିମ୍ନ ମାନର ହେଉଛି ଯେ, ଏହାକୁ ଯେକେହି ଦେଖୁଛି ଚକିତ ହୋଇପଡିବା ସହ ଏହାର ସ୍ଥାୟୀତ୍ୱ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବିପଜ୍ଜନକ ଗଇଲୋ ଘାଟିରେ ଦୁର୍ଘଟଣା ଏଡାଇବାକୁ ସରକାର ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ କରୁଥିବା ବେଳେ ଠିକାଦାର-ଯନ୍ତ୍ରୀ ମଧୁ ଚନ୍ଦ୍ରିକା ଯୋଗୁଁ ଅଧିକ ଲାଭ ଆଶାରେ ଏଭଳି ନିମ୍ନ ମାନର କାର୍ଯ୍ୟ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ଅଭିଯୋଗ ସମ୍ପର୍କରେ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ମତାମତ ପାଇଁ ଉଦ୍ୟମ କରାଯାଇଥିଲେ ହେଁ ସେ କୌଣସି ଉତ୍ତର ଦେଇନାହାନ୍ତି । ସେହିପରି ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମତାମତ ଲୋଡିବାରୁ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଚିପ୍ସ ଗୁଡିକ ଉଠିଯାଉଥିବା ସ୍ୱୀକାର କରିବା ସହ କ୍ଷତିଗ୍ରସ୍ତ ଅଂଶଗୁଡିକୁ ପୁଣିଥିରେ ମରାମତି କରାଯିବ ବୋଲି ଉତ୍ତର ଦେଇଛନ୍ତି । ତେବେ ବିଭାଗୀୟ ମନ୍ତ୍ରୀ ଓ ମୂଖ୍ୟ ଯନ୍ତ୍ରୀ, ସଚିବ ଓ ଭିଜିଲାନ୍ସ ବିଭାଗ ଏଭଳି ଅନିୟମିତତାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । ଏଠାରେ ସୂଚନା ଯୋଗ୍ୟ ଯେ, ବର୍ତମାନ ମରାମତି କାର୍ଯ୍ୟ ଚାଲିଥିବା ଦୁର୍ଗମ ଗଇଲୋ ଘାଟିରେ ୨୦୧୬ ମସିହାରେ ଏକ ଯାତ୍ରାପାର୍ଟୀ ବସ୍ ରାସ୍ତାରୁ ଶତାଧିକ ଫୁଟ ତଳକୁ ଖସି ପଡିବାରୁ ୨୭ ଜଣଙ୍କର ମୃତ୍ୟୁ ଘଟିଥିଲା ।
