ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର, ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ଫୁଲବାଣୀ : କନ୍ଧମାଳ ଜିଲାର ୧୨ଟି ବ୍ଲକ ଅନ୍ତର୍ଗତ ୧୭୧ଟି ପଂଚାୟତରେ ପୂର୍ବରୁ ୨ହଜାର ରୁ ଉର୍ଦ୍ଧ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ, ଗତ ଦିନରେ ସରକାର କରିଥିବା ନିୟମ ପ୍ରକାରେ ଜିଲାରେ ପ୍ରାୟ ଶତାଧିକ ବିଦ୍ୟାଳୟ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଯେଉଁ ସବୁ ବିଦ୍ୟାଳୟଗୁଡ଼ିକ ବନ୍ଦ ହୋଇଯାଇଛି ସେହି ସବୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ଥ ବିଦ୍ୟାଳୟମାନଙ୍କରେ ନାମ ଲେଖାଯାଇ ଶିକ୍ଷାଦାନ ଦିଆଯାଉଥିବା ବେଳେ ଯେଉଁ ସବୁ ବିଦ୍ୟାଳୟରେ ନାମ ଲେଖାଯାଇଛି ସେହି ସବୁ ବିଦ୍ୟାଳୟଗୁଡ଼ିକର ଭିତିଭୂମି ଉପରେ କିନ୍ତୁ ଠିକ୍‌‌ ଭାବେ ତର୍ଜମା କରାଯାଇନାହିଁ । ଫଳରେ ଏବେ ମଧ୍ୟ ଜିଲାର ଏଭଳି ଅନେକ ବିଦ୍ୟାଳୟ ରହିଛି କେଉଁଠି ଛାତ୍ରଛାତ୍ରୀ ବାରଣ୍ଡାରେ ବସି ପାଢ ପଢ଼ୁଥିବା ବେଳେ ଆଉ କେତେକ ବିଦ୍ୟାଳୟ ରହିଛି ଯେଉଁଠି ଗୋଟିଏ ଶ୍ରେଣୀ ଗୃହରେ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଭଳି ସ୍ଥଳେ କିଭଳି ଭାବେ ଶିକ୍ଷାଦାନ ଦିଆଯାଉଥିବ ତାହା ସହଜେ ଅନୁମେୟ ।

ଏଭଳି ନାନା ସମସ୍ୟା ଭିତରେ ରହି ଶିକ୍ଷା ଗ୍ରହଣ କରୁଥିବା ଅନେକ ବିଦ୍ୟାଳୟ ମଧ୍ୟରୁ ଏକ ବିଦ୍ୟାଳୟ ହେଉଛି ଖୋଦ୍‌‌ ଫୁଲବାଣୀ ବ୍ଲକରେ । ଏହି ବ୍ଲକ ଅନ୍ତର୍ଗତ ଗୁମାଗଡ଼ ପଂଚାୟତର ଟେଙ୍ଗେରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୫୪ ମସିହାରେ ସ୍ଥାପିତ ହୋଇଚି । ଅଞ୍ଚଳର ସର୍ବ ପୁରାତନ ବିଦ୍ୟାଳୟରୁ ପାଠପଢ଼ି ବହୁ ଛାତ୍ର ଭଲ ମଣିଷ ହେବା ସହ ବଡ ଚାକିରୀ ମଧ୍ୟ କରିଛନ୍ତି । କିନ୍ତୁ ସେହି ବିଦ୍ୟାଳୟ ଏବେ ଅବହେଳିତ । ଉକ୍ତ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ସମୁଦାୟ ୪୨ ଛାତ୍ରଛାତ୍ରୀ ଅଧ୍ୟୟନରତ । ୪୨ ଛାତ୍ରଛାତ୍ରୀଙ୍କ ପାଇଁ ୫ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ରହିଛନ୍ତି । ବିଦ୍ୟାଳୟରେ ୩ଟି ଶ୍ରେଣୀ ଗୃହ ଥିବା ବେଳେ ସ୍ଥାନ ଅଭାବରୁ ୬ଟି ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟ ବାରଣ୍ଡାରେ ବସି ପାଢ ପଢ଼ୁଥିବାର ଦେଖାଯାଇଛି ।

ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀରେ ପଢ଼ୁଥିବା ବେଳେ ଆଉ ଦୁଇଟି ଶ୍ରେଣୀ ଗୃହ ମଧ୍ୟରୁ ଗୋଟିଏରେ ଚତୁର୍ଥ ଓ ପଞ୍ଚମ ଏବଂ ଅନ୍ୟ ଏକ ଶ୍ରେଣୀ ଗୃହରେ ସପ୍ତମ ଓ ଅଷ୍ଟମ ପିଲା ପାଠ ପଢ଼ୁଛନ୍ତି । ବର୍ଷ ବର୍ଷ ଧରି ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ବାରଣ୍ଡରେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ଗୋଟିଏ ରୁମରେ ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀ ବସିବା ଫଳରେ ପାଠପଢ଼ାରେ ବହୁ ନାନା ସମସ୍ୟା ମଧ୍ୟ ସୃଷ୍ଟି ହେଉଛି ବୋଲି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି । ତେବେ ବର୍ଷ ବର୍ଷ ଧରି ଏହି ସମସ୍ୟା ବିଦ୍ୟାଳୟରେ ଲାଗି ରହିଥିବା ବେଳେ, ଏନେଇ ବାରମ୍ବାର ଅଞ୍ଚଳର ନିର୍ବାଚିତ ଲୋକ ପ୍ରତିନିଧିମାନେ ପ୍ରଶାସନକୁ ଅବଗତ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଭଳି କିଛି ପଦକ୍ଷେପ ନିଆଯାଇ ନାହିଁ ବୋଲି ବିଦ୍ୟାଳୟ ପରିଚାଳନା ଦାୟିତ୍ୱରେ ଥିବା କର୍ମକର୍ତ୍ତା ଓ ପ୍ରଧାନ ଶିକ୍ଷକ ବିନୋଦ ବିହାରି ପଣ୍ଡା ଏଠାରେ ପ୍ରକାଶ କରିଛନ୍ତି । ବର୍ଷା ଦିନେ ପାଠ ପଢ଼ାଇବାରେ ନାନା ପ୍ରକାର ବଧା ଉପୁଜୁଥିବା ମଧ୍ୟ ଶିକ୍ଷକମାନେ ପ୍ରକାଶ କରିଛନ୍ତି । ବାରମ୍ବାର ଅଞ୍ଚଳବାସୀ, ସରପଂଚ ସମିତି ସହିତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅବଗତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ ବୋଲି ଅଞ୍ଚଳବାସୀ ଏଠାରେ ଅଭିଯୋଗ କରିଛନ୍ତି । ଫୁଲବାଣୀ ବ୍ଲକ ଗୁମାଗଡ଼ ପଂଚାୟତର ଟେଙ୍ଗେରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମସ୍ୟା ନେଇ ବିଇଓ ରଂଜନ କୁମାର କହଁରଙ୍କୁ ପଚାରିବାରୁ ସେ ଉପରିସ୍ଥ ଅଧିକାରିଙ୍କୁ ଜଣାଇଛନ୍ତି ଓ ଶୀଘ୍ର ଶ୍ରେଣି ଗୃହ ନିର୍ମାଣ ଉପରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *