ପ୍ରେସ୍ ୟୁନିୟନ ରାୟଗଡା ଡିଷ୍ଟ୍ରିକ୍ ସଂଘର ଛୋଟ ପ୍ରୟାସ ; ୫୦ ଜଣ ଅସହାୟ ଗରିବ ଅନ୍ତେବାସୀ ଶିଶୁଙ୍କୁ ଦେଖାଇଲେ ଓଡିଆ ଚଳଚ୍ଚିତ୍ର ‘ଦମନ’

ରାୟଗଡା : ସମଗ୍ର ରାଜ୍ୟ ତଥା ଦେଶରେ ଏବେ ଚହଳ ପକାଇଛି ଓଡିଆ ଚଳଚ୍ଚିତ୍ର ‘ଦମନ’ । ନିକଟରେ ରିଲିଜ ହୋଇଥିବା ଓଡିଆ ଫିଲ୍ମ ‘ଦମନ’ ମାଲକାନଗିରି ଭଳି ଜିଲ୍ଳାର ବିଚ୍ଛିନ୍ନାଂଚଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଘନ ଅନ୍ଧକାର ଭିତରେ ଆଶାର ଏକ ଆଲୋକ ସଂଚାର କରିଛି । ଫିଲ୍ମଟି ବାସ୍ତବଧର୍ମୀ କାହାଣୀ ଆଉ କଥାବସ୍ତୁ, ଚିତ୍ରଣୀୟ, ପ୍ରତିଟି ଚରିତ୍ରର ଅଭିନୟ, ସଂପାଦନା ପ୍ରତିଟି ଦିଗରୁ ଅତି ସୁନ୍ଦର ହୋଇଛି । ଏହି ଚଳଚ୍ଚିତ୍ର ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ଜନସେବା କ୍ଷେତ୍ରରେ ଏକ ପ୍ରେରଣାର ବାର୍ତା ଦେଉଛି । ଏବେ ରାଜ୍ୟର ସମସ୍ତ ପ୍ରେକ୍ଷାଳୟରେ ଜମୁଛି ଦର୍ଶକଙ୍କ ଭିଡ ଏବଂ ଫିଲ୍ମଟି ସାଉଁଟିଛି ବେଶ୍ ପ୍ରଶଂସା । ଏପରିକି ସରକାରୀସ୍ତରରେ ମଧ୍ୟ ‘ଦମନ’କୁ ମିଳିଛି ପ୍ରୋତ୍ସାହନ । ନିକଟରେ ଏହି ସିନେମାକୁ ସଂପୂର୍ଣ୍ଣ କରମୁକ୍ତ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ଫିଲ୍ମ ଜଗତର ସୁପରଷ୍ଟାର ଅଭିନେତା ବାବୁସାନ୍ ମହାନ୍ତିଙ୍କ ‘ଦମନ’ ଚଳଚ୍ଚିତ୍ରରେ ଡାକ୍ତରଙ୍କ ଭୂମିକାରେ ଦମଦାର ଅଭିନୟ ସମସ୍ତଙ୍କୁ ବିମୁହିତ କରିପାରିଛି । ପ୍ରେକ୍ଷାଳୟଗୁଡିକରେ ଟିକଟ ମୂଲ୍ୟ ଅଧିକ ଥିବାରୁ ଏହାକୁ ଅସହାୟ ଗରିବ ଶିଶୁମାନେ ଦେଖିପାରୁ ନଥିବାରୁ ପ୍ରେସ ୟୁନିୟନ ରାୟଗଡା ଡିଷ୍ଟ୍ରିକ୍ ସାମ୍ବାଦିକ ସଂଘ ପକ୍ଷରୁ ଏକ ଛୋଟ ପ୍ରୟାସ କରାଯାଇଛି । ସଂଘ ସଭାପତି ସୁବାଷ ଚନ୍ଦ୍ର ସୂର୍ଯ୍ୟଙ୍କ ସମେତ ଉପଦେଷ୍ଠା ଶିବ ନାରାୟଣ ଗଉଡ, ବିଜୟ କୁମାର ମହାରଣା ଓ ଅନ୍ୟ ସଦସ୍ୟମାନେ ରାୟଗଡା ସହରର ରୟତ କଲୋନୀ ପ୍ରଥମ ଗଳିରେ ଥିବା ତିରୁପତି ନବଜୀବନ ସଂସ୍ଥାର ହଷ୍ଟେଲରେ ଅନ୍ତେବାସୀ ଭାବେ ରହୁଥିବା ୨୦ ଜଣ ଗରିବ ଆଦିବାସୀ ଝିଅମାନଙ୍କୁ ସ୍ଥାନୀୟ ପିଏସଆର ସିନେମା ହଲରେ ମଙ୍ଗଳବାର ଦିନ ଫାଷ୍ଟ ଶୋ’ରେ ‘ଦମନ’ ଚଳଚ୍ଚିତ୍ର ଦେଖିବାର ବ୍ୟବସ୍ଥା କରିଥିଲେ । ଝିଅମାନଙ୍କ ସମସ୍ତ ଟିକଟ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା । ସେହିପରି ଗତ ସୋମବାର ଦିନ ସେବା ସମାଜ ଯତ୍ନ ଅନୁଷ୍ଠାନର ୩୨ ଜଣ ଅନ୍ତେବାସୀଙ୍କ ସମେତ ୩ ଜଣ ଦାୟିତ୍ଵଧାରି କର୍ମଚାରୀମାନେ ଗତକାଲି ସ୍ଥାନୀୟ ପି.ଏସ.ଆର ସିନେମା ହଲରେ ‘ଦମନ’ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇଥିଲେ । ଉକ୍ତ ଚଳଚ୍ଚିତ୍ରଟିରେ ଶିଶୁମାନଙ୍କ ନିମନ୍ତେ ଅନେକ ଶିକ୍ଷଣୀୟ ଓ ବାସ୍ତବ ଧର୍ମି ବିଷୟବସ୍ତୁ ଥିବାରୁ ଏଥିରେ ଶିଶୁମାନେ ପ୍ରଭାବିତ ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିବେ ବୋଲି ଆଶା ରଖି “ପ୍ରେସ ୟୁନିଅନ ରାୟଗଡ଼ା ଜିଲ୍ଲା” ତରଫରୁ ଶିଶୁମାନଙ୍କ ନିମନ୍ତେ ସମସ୍ତ ସହାୟତା ଯୋଗାଇ ଦିଆଯାଇଥିଲା । ଏଥିପାଇଁ ସେବା ସମାଜ ତରଫରୁ ‘ପ୍ରେସ ୟୁନିୟନ ରାୟଗଡ଼ା ଜିଲ୍ଲା’ର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ପ୍ରେସ୍ ୟୁନିୟନ୍ ରାୟଗଡା ଡିଷ୍ଟିକ୍ ସଂଘର ଏହି ଛୋଟ ପ୍ରୟାସ ରାୟଗଡାର ବିଭିନ୍ନ ମହଲରେ ପ୍ରଶଂସା ସାଉଁଟିଛି ।

Leave a Reply

Your email address will not be published. Required fields are marked *