ବାରିପଦା : ରାଜ୍ୟର ସର୍ବବୃହତ ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜରେ ୧୩୧୨ ଗାଁ ଏବେ ବି ଅନ୍ଧାରରେ । ବିଦ୍ୟୁତ ସଂଯୋଗ ନଥିବାରୁ ଜିଲ୍ଲାର ୧୫ ହଜାର ୧୦୨ ପରିବାର ଟେଲିଭିଜନ୍ ଦେଖିବାରୁ ମଧ୍ୟ ବଞ୍ଚିତ । ଦେଶରେ ୫-ଜି ସେବା ଆରମ୍ଭ ହୋଇଗଲାଣି । ଲୋକେ ପ୍ରତି ସେକେଣ୍ଡରେ ଦେଶ, ବିଦେଶର ଖବର ଜାଣିପାରୁଛନ୍ତି । ହେଲେ ଏସବୁ ଗାଁରେ ଟିଭି ଓ ଇଣ୍ଟରନେଟ୍ ସେବା ଅପହଞ୍ଚ ହୋଇଥିବାରୁ ଦେଶ, ବିଦେଶ, ରାଜ୍ୟ କଥା ଦୂରେ ଥାଉ; ନିଜ ଜିଲ୍ଲାରେ ଘଟୁଥିବା ଖବର ସଂପର୍କରେ ବି ବିନ୍ଦୁବିସର୍ଗ ଜାଣିପାରୁନାହାନ୍ତି ଗ୍ରାମବାସୀ ।
ମୟୂରଭଞ୍ଜରେ ରାଜସ୍ବ ଗାଁ ସଂଖ୍ୟା ୩ ହଜାର ୯୬୬ । ସରକାରୀ ରିପୋର୍ଟ ଅନୁଯାୟୀ, ସବୁ ରାଜସ୍ବ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇଛି । ହେଲେ ୫,୩୫୨ଟି ପଡ଼ା ଗାଁ ମଧ୍ୟରୁ ୧୩୧୨ ଗାଁକୁ ଆଜି ସୁଦ୍ଧା ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ରାଜୀବ ଗାନ୍ଧୀ, ବିଜୁ ଜ୍ୟୋତି ଓ ସୌଭାଗ୍ୟ ଯୋଜନାରେ ଦୁର୍ଗମ ତଥା ଅପହଞ୍ଚ ଇଲାକାରେ ଥିବା ଗାଁଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ସରକାରଙ୍କ ଘୋଷଣା ମୟୂରଭଞ୍ଜରେ ସତେ ଯେମିତି ପ୍ରହସନ ପାଲଟିଛି । କପ୍ତିପଦା, ବିଶୋଇ, ବାଙ୍ଗିରପୋଷି, ଜାମଦା, ଠାକୁରମୁଣ୍ଡା, ବିଜାତଳା, ଶୁଳିଆପଦା, ବହଳଦା, ଯଶିପୁର ଆଦି ବ୍ଲକ୍ର ସର୍ବାଧିକ ଗାଁରେ ବିଜୁଳି ଆଲୁଅ ନାହିଁ । ଆଜି ବି ସୂର୍ଯ୍ୟାସ୍ତ ହେଲେ ଏସବୁ ଗାଁରେ ଡିବିରି ଓ ଲଣ୍ଠନକୁ ଲୋକେ ଭରସା କରନ୍ତି ବୋଲି କହିଛନ୍ତି ବିଶୋଇ ବ୍ଲକ ବାଘବାଡ଼ିପଡ଼ା ଗାଁର ବିଜୁଳି ମହାନ୍ତ ଓ ଦେବଯାନୀ ମହାନ୍ତ ।
ଏବେ ବିଦ୍ୟୁତ ପରିଚାଳନା ଦାୟିତ୍ବ ଟାଟା ପାୱାର ହାତରେ । ବିଭିନ୍ନ ଘରୋଇ ସଂସ୍ଥାକୁ ବିଲ୍ ଆଦାୟ ଓ ମିଟର୍ ରିଡିଂ ଦାୟିତ୍ବ ଦିଆଯାଉଛି । ହେଲେ ଅନ୍ଧାରରେ ଥିବା ପଡ଼ା ଗାଁଗୁଡ଼ିକୁ କେମିତି ବିଦ୍ୟୁତ ସଂଯୋଗ ହେବ, ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ୟମ ହେଉନାହିଁ । ୨୦୨୪ ପୂର୍ବରୁ ସବୁ ଗାଁରେ ବିଦ୍ୟୁତ୍ ସଂଯୋଗ କରାନଗଲେ ଜିଲ୍ଲାବ୍ୟାପୀ ଆନ୍ଦୋଳନ ହେବ ବୋଲି ଯୁବ ସମାଜସେବୀ ଚନ୍ଦନ ଶେଯପଡ଼ା କହିଛନ୍ତି ।
