ଆରଡି : ରାଜ୍ୟର ପୁରାତନ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅଗଣିତ ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ସୁଗମ ଯାତାୟତ ପାଇଁ ରାସ୍ତା, ପିଇବା ପାଣି, ସ୍ବାସ୍ଥ୍ୟ ଆଦି ଉପରେ ପ୍ରଶାସନ ଗୁରୁତ୍ବ ଦେବା ସହ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି । ହେଲେ ବାବା ଆଖଣ୍ଡଳମଣିଙ୍କ ପୀଠକୁ ସଂଯୋଗ କରୁଥିବା ଆରଡି-ଭଦ୍ରକ ୩୫ ନଂ ରାଜ୍ୟ ରାଜପଥ ଦୀର୍ଘ ବର୍ଷ ହେବ ମରାମତି ଅଭାବରୁ ଆରଡିଛକ(ଗେଲପୁର) ଠାରୁ ମଠଡିହ ପର୍ଯ୍ୟନ୍ତ ଅତି ଶୋଚନୀୟ ହୋଇପଡିଥିବାରୁ ଆଗନ୍ତୁକ ଭକ୍ତ ଓ ପର୍ଯ୍ୟଟକଙ୍କ ସହ ୩ ବ୍ଲକର ହଜାର ହଜାର ଲୋକ ନାନା ଦୁର୍ଦଶା ଭୋଗୁଛନ୍ତି । ଏହି ରାସ୍ତାର ନବୀକରଣ ପାଇଁ ସରକାରଙ୍କ ପକ୍ଷରୁ ଦୀର୍ଘ ୨ ବର୍ଷ ହେବ ୪୦ କୋଟି ଟଙ୍କା ଯୋଗାଇ ଦିଆଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ କଛପ ନିଷ୍ପତ୍ତି ଯୋଗୁ ରାସ୍ତା ଏବେ ମରଣଯନ୍ତା ପାଲଟିଲାଣି । ଏପରିକି ରାସ୍ତାରେ ବଡବଡ ଖାଲ ସହ ପିଚୁ ଉଠିଯାଇଥିବାରୁ ବଡବଡ ମେଟାଲ ପଥଚାରୀଙ୍କ ଅତିଷ୍ଟ କରୁଛି । ବିଶେଷକରି ମଠଡିହ ଠାରୁ ସାହୁସାହି ଛକ, ବେତାଳିଗାଁ ଠାରୁ ଅର୍ଣ୍ଣପାଳଛକ, କୋରକରା ଛକ ଠାରୁ ଆରଡିଛକ(ଗେଲପୁର) ଯାଏଁ ରାସ୍ତା ଅତି ଶୋଚନୀୟ ଥିବାରୁ ପଥଚାରୀ ନାନା ଦୁର୍ଦଶାରେ ସମୁଖିନ ହେବା ସହ ଅନେକ ସମୟରେ ଛୋଟବଡ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି ।
ରାସ୍ତା ମରାମତି ଓ ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ସମ୍ପର୍କରେ ଜିଲା ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଅମ୍ବିକା ସ୍ବାଇଁଙ୍କୁ ପଚାରିବାରୁ ରାସ୍ତାର ସମ୍ପ୍ରସାରଣ ଓ ମରାମତି ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି । ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ, ଏଥିପାଇଁ ବେତାଳିଗାଁ ଠାରେ ଅସ୍ଥାୟୀ କ୍ୟାମ୍ପ ପଡିଲାଣି ବୋଲି କହିଛନ୍ତି ।
