ରେଙ୍ଗାଳିକ୍ୟାମ୍ପ : ପାଖାପାଖି ଦୁଇବର୍ଷ ହେଲା ଚାଷୀଙ୍କୁ ମିଳିନାହିଁ ବିକ୍ରି ଧାନର ମୂଲ୍ୟ । ବର୍ତ୍ତମାନ ପରିସ୍ଥିତିରେ ଚାଷୀ ତିନି ବର୍ଷ ହେଲା ତାର ବିକ୍ରି ଧାନର ମୂଲ୍ୟ ପାଇ ନଥିବା ବେଶ ଚର୍ଚ୍ଚାର ବିଷୟ ହେଇଛି । ଧାନ ବିକ୍ରି କରିଥିବା ସତ୍ତ୍ୱେ ଦୁଇ ବର୍ଷ ଧରି ଧାନର ମୂଲ୍ୟ ପାଇ ନଥିବା ଏକ ନୂଆଁ ଘଟଣା, ଯାହା ଘଟିଛି ବରଗଡ଼ ଜିଲ୍ଲା ଅତାବିରା ବ୍ଲକରେ । ଯେତେବେଳେ କରୋନା ମହାମାରୀର ପ୍ରଥମ ଲହରରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା ଓ ଲୋକେ ଘରୁ ବାହାରକୁ ବାହାରୁ ନଥିଲେ, ସେଇ ସମୟରେ ନିଜ ଜୀବନକୁ ଭ୍ରୁକ୍ଷେପ ନକରି ଚାଷୀମାନେ ଚାଷ କରିଥିଲେ । ହାଡ଼ଭଙ୍ଗା ପରିଶ୍ରମ କରି ବହୁ ପରିମାଣର ଅର୍ଥ ରାଶି ଖର୍ଚ୍ଚ କରି ମହାମାରୀ ସମୟରେ ଧାନ ଅମଳ କରି ବିକିଥିଲେ ।
ସେଇ ଚାଷୀମାନେ ହେଲେ ଅତାବିରା ଟୋପ ଖଲିଆପାଲିର ଆନ୍ଧ୍ରପଡ଼ା ସ୍ଥିତ ଭାଗଚାଷୀ କେ ଭେଙ୍କଟ ରେଡ୍ଡୀ, ଏମ୍ ଗୋପାଳ ରେଡ୍ଡୀ, ପିଭିଡି ମହେଶ୍ୱର, ଯକ୍କା ଭେଙ୍କେଟ ଲକ୍ଷ୍ମୀ ଓ ଲସ୍ତଲାର ମହେଶ ଅଗ୍ରୱାଲ । ପ୍ରକାଶ ଥାଉ କି ଗତ ୨୦୨୦ ଖରିଫ ଋତୁରେ ଏଇ ଭାଗ ଚାଷୀଙ୍କ ଧାନ ଜମି ମାଲିକଙ୍କ ନାମରେ ମାର୍କେଟରେ ବିକ୍ରି ହୋଇସାରିଛି । ତାର ସମସ୍ତ ପ୍ରମାଣ ବି ରହିଛି । ହେଲେ ଆକାଉଣ୍ଟରେ ପଇସା ପଡୁନି ଆଜିଯାଏଁ । ଏଇ ଚାଷୀମାନେ ଜମି ମାଲିକଙ୍କୁ କର ଟଙ୍କା ମଧ୍ୟ ନିଜ ହାତରୁ ପୈଠ କରିସାରିଛନ୍ତି । ହେଲେ ନିଜେ ବିକିଥିବା ଧାନର ମୂଲ୍ୟ ଆଜି ଯାଏ ପାଇ ନାହାନ୍ତି । ଏଥିପାଇଁ ସେମାନେ ମାର୍କେଟ ୟାର୍ଡ଼ରୁ ଆରମ୍ଭ କରି ସମବାୟ ବ୍ୟାଙ୍କ୍, ମିଲର୍ସ୍, ଯୋଗାଣ ବିଭାଗ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହେଲେଣି । ଶେଷରେ ଜିଲ୍ଲାପାଳଙ୍କୁ ମଧ୍ୟ ଗତ ୨୦/୯/୨୧ ମେଲ ମାଧ୍ୟମରେ ଜଣାଇ ସାରିଛନ୍ତି । ସେମାନେ ବିଧାୟିକାଙ୍କୁ ଭେଟି ଏହି ବିଷୟରେ ଅବଗତ କରାଇଥିଲେ । ଭୁବନେଶ୍ୱର ଗଲେ ସେଠାରେ ଏ କଥା ଉଠାଇବି ଓ ଏହାର ସମାଧାନ ହେବ ବୋଲି ବିଧାୟିକା ପ୍ରତିଶ୍ରୁତି ଦେଇଥିବା ଏହି ଚାଷୀମାନେ କହନ୍ତି । ହେଲେ କେହି ବି ତାଙ୍କ ସମସ୍ୟାର ସମାଧାନ କରିପାରି ନଥିବା ବଡ ଦୁଃଖର ବିଷୟ ସାଜିଛି ।
