ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ନିର୍ଦେଶ ସତ୍ତ୍ୱେ ମରାମତି ହେଉନି ସ୍କୁଲ ପାଚେରୀ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଲଇଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଗିପାଲି ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଗତ ଜୁଲାଇ ମାସର ଲଗାଣ ବର୍ଷାରେ ଭୁଷୁଡି ପଡିଥିଲା । ଇତି ମଧ୍ୟରେ ୩ ମାସ ବିତିଗଲାଣି କିନ୍ତୁ ଏ ପର୍ଯ୍ୟନ୍ତ ଭାଙ୍ଗିଯାଇଥିବା ପାଚେରୀର ମରାମତି କାମ ହୋଇନାହିଁ । ଅଗଷ୍ଟ ୨୫ ତାରିଖ ଦିନ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏହି ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ସମୟରେ ପାଚେରୀ ଭାଙ୍ଗି ଯାଇଥିବାର ଦେଖି ଏହାର ମରାମତି ବ୍ୟବସ୍ଥା କରିବାକୁ ଲଇଡା ସରପଞ୍ଚଙ୍କୁ ନିର୍ଦେଶ ଦେଇଥିଲେ ।

ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ଦେଶ ଦେବାର ଦୁଇ ମାସ ବିତଗଲା ପରେ ମଧ୍ୟ ଏପର୍ଯ୍ୟନ୍ତ ପାଚେରୀ ମରାମତି କାମ ଆରମ୍ଭ ହୋଇନାହିଁ । ଫଳରେ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଏବଂ ଶିକ୍ଷାପ୍ରେମୀ ସଚେତନ ନାଗରିକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ପାଚେରୀ ଭାଙ୍ଗିଯିବା ଫଳରେ ବିଦ୍ୟାଳୟରେ ଗଚ୍ଛିତ ରହୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ହେବାର ଆଶଙ୍କା ଦେଖାଦେଇଛି । ସ୍କୁଲ ଛୁଟି ପରେ ବୁଲା ଗାଈଗୋରୁ ଭଙ୍ଗା ପାଚେରୀ ଡେଇଁ ସ୍କୁଲ ପରିସରକୁ ପଶି ବିଚରଣ କରୁଥିବାର ଅଭିଯୋଗ ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ଶୀଘ୍ର ପାଚେରୀ ମରାମତିର ବ୍ୟବସ୍ଥା କରିବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *